ବ୍ରହ୍ମପୁର ଏମକେସିଜିରେ ନାହିଁ ବର୍ଣ୍ଣ ୟୁନିଟ : ଚିକିତ୍ସା ଅଭାବରୁ ରୋଗୀଙ୍କ ହେଉଛି ମୃତ୍ୟୁ

1 min read

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁର ବଡ଼ ମେଡିକାଲରେ କେବେ ଖୋଲିବ ବର୍ଣ୍ଣ ୟୁନିଟ୍ । ଚିକିତ୍ସା ଅଭାବରୁ ଅନେକ ରୋଗୀ ଏଠାକୁ ଆସି ନିରାସ ଫେରୁଛନ୍ତି । ଆବଶ୍ଯକ ସୁବିଧା ନଥିବାରୁ ଅନେକ ରୋଗୀଙ୍କ ମୃତ୍ଯୁ ମଧ୍ଯ ହେଲାଣି । ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ପ୍ରସଙ୍ଗ ଉଠୁଥିଲେ ମଧ୍ୟ କାର୍ଯ୍ୟକାରୀ କରିବା ଦିଗରେ ଆନ୍ତରିକତା ନଥିବା ଦେଖିବାକୁ ମିଳୁଛି ।

ଦକ୍ଷିଣା ଓଡ଼ିଶାର ପ୍ରମୁଖ ହସପିଟାଲ ବ୍ରହ୍ମପୁର MKCG ମେଡିକାଲ କଲେଜ । ହେଲେ ହସପିଟାଲରେ ଜଳାପୋଡ଼ା ରୋଗୀଙ୍କ ପାଇଁ ନାହିଁ ସ୍ବତନ୍ତ୍ର ବ୍ଯବସ୍ଥା । କିଛିବର୍ଷ ପୂର୍ବେ ଘଟିଥିବା ଡଙ୍କଲପାଡ଼ୁ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ I ସେହି ସମୟରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ନେଇ ସବୁଜ ସଂକେତ ଦେଇଥିଲେ । କିନ୍ତୁ ୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏହା କେବଳ କାଗଜକଲମରେ ସୀମିତ ରହିଛି । ବର୍ତ୍ତମାନ ପ୍ରଥମ ମହଲାରେ ଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । କିନ୍ତୁ ଆବଶ୍ୟକ ସୁବିଧା ନଥିବାରୁ କେବଳ ୩୦ ପ୍ରତିଶତରୁ କମ୍ ପୋଡ଼ିଥିବା ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଇ ପାରୁଛି ।

MKCG ମେଡିକାଲ ପରିସରରେ ଥିବା ହାଉସ୍ ସର୍ଜନ ହଷ୍ଟେଲ ସ୍ଥାନରେ ବର୍ଣ୍ଣ କେୟାର ୟୁନିଟ୍ କୋଠା ନିର୍ମାଣ କରିବାକୁ ପ୍ରସ୍ତୁତି କରାଯାଇଥିଲା । ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ସ୍ଵାସ୍ଥ୍ୟ ବିଭାଗକୁ ପଠାଯାଇଛି । ଏଥିପାଇଁ ପ୍ଲାଷ୍ଟିକ ସର୍ଜରୀ କିମ୍ବା ସର୍ଜରୀ ବିଭାଗର ଜଣେ ଆସୋସିଏଟ୍ ପ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ୪ଜଣ ସିନିୟର ରେସିଡେଣ୍ଟ, ୪ଜଣ ଜୁନିୟର ରେସିଡେଣ୍ଟ ଏବଂ ନିଶ୍ଚେତକ ବିଭାଗର ୪ ଜଣ ସିନିୟର ରେସିଡେଣ୍ଟ ଡାକ୍ତରଙ୍କୁ ମିଶାଇ ମୋଟ ୧୭ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା MKCG ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା । ବର୍ତ୍ତମାନ ବିଭିନ୍ନ ବିଭାଗର ୩ ଜଣ ଡାକ୍ତର ଉପଲବ୍ଧ ଥିବା ବେଳେ ଆଉ ୧୪ ଟି ନୂତନ ଡାକ୍ତର ପଦବୀ ସୃଷ୍ଟି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆନ୍ତରିକତା ନଥିବା ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି ।