ହକ ପାଇଁ ହଲ୍ଲାବୋଲ, ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ଦାବି

ବ୍ରହ୍ମପୁର : ହକ ପାଇଁ ହଲ୍ଲାବୋଲ । ବ୍ରହ୍ମପୁର ଯୁଗ୍ମ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ଅଗରେ ଶ୍ରମିକଙ୍କ ଆନ୍ଦୋଳନ । କିଏ ବିବାହ ସହାୟତା ପାଇଁ ଆବେଦନ କରି ସହାୟତା ରାଶି ପାଇ ନାହାନ୍ତି ତ ଆଉ କିଏ ମୃତ୍ୟୁ କାଳୀନ ସହାୟତା ରାଶି, ପରିଚୟ ପତ୍ର ପାଇଁ ଆବେଦନ କରି ନିରାଶ ହୋଇଛନ୍ତି । ଦେଢ଼ ବର୍ଷ ହେଲା ଆବେଦନ କରି ନିରାଶ ହେବାକୁ ପଡିଛି ବୋଲି ଅଭିଯୋଗ ହୋଇଛି ।  ନିୟମାନୁଯାୟୀ ସବୁ କାଗଜ ପତ୍ର ଠିକ ଥିଲେ ମଧ୍ୟ ସହାୟତା ରାଶି ମିଳିନି । କିଛି ଜଣଙ୍କ କାଗଜ ପତ୍ର ଠିକ ନଥାଇ ମଧ୍ୟ ସହାୟତା ରାଶି ପାଇସାରିଛନ୍ତି । ଆବେଦନ ବେଳେ ଦୁଇ ହଜାର ଟଙ୍କା ଦିଆଯାଇଥିବା ବେଳେ ଏବେ ଆହୁରି ୧୦ ହଜାର ଟଙ୍କା  ଅଧିକାରୀ ମାନେ ମାଗୁଥିବା ଗୁରୁତର ଅଭିଯୋଗ କରିଛନ୍ତି ନିର୍ମାଣ ଶ୍ରମିକ।

ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟରେ ଟଙ୍କା ନଦେଲେ କାମ ହୁଏ ନାହିଁ ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ରାଜ କୁମାର ମହାପାତ୍ର। ଟଙ୍କା ଦେଲେ ଆବେଦନ କରିଥିବା ହିତାଧିକାରୀଙ୍କୁ ସହାୟତା ରାଶି ଦିଆ ଯାଉଛି ବୋଲି ଅଭିଯୋଗ କରିଛି ଜୟ ଜଗନ୍ନାଥ ନିର୍ମାଣ ଶ୍ରମିକ ସଙ୍ଘ । ତୁରନ୍ତ ସହାୟତା ରାଶି ପ୍ରଦାନ କରା ନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି  । ସେପଟେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତି ହୀନ ଓ ମିଥ୍ୟା ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। କିଏ ଦଲାଲ…? ବ୍ୟବସ୍ଥାରେ କିଛି ତ୍ରୁଟି ରହୁଛି ନା ହିତାଧିକାରୀଙ୍କୁ ବିଭ୍ରାନ୍ତ କରାଯାଉଛି…? କେବେ ପାଇବେ ସହାୟତା ରାଶି, ତା ଉପରେ ରହିଛି ସମସ୍ତଙ୍କ ନଜର ।