ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ଉଭୟ ବିରୋଧୀ ଓ ଶାସକ ଦଳର ସହଯୋଗ ଲୋଡିଛନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଶାସକ ଓ ବିରୋଧୀ ସହଯୋଗ କରିବେ ବୋଲି କହିଛନ୍ତି । ଏଥର ସ୍ବଳ୍ପ ଅଧିବେଶନରେ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଶାସକ ଦଳକୁ ଗୃହରେ ଘେରିବାକୁ ବିରୋଧୀ ପ୍ରସ୍ତୁତ । ତେବେ ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛି ଶାସକ ଦଳ ।

୧୮ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟ ଦିବସ ସହ ୨୫ ତାରିଖ ଯାଏଁ ଚାଲିବ ଅଧିବେଶନ । ସ୍ବଳ୍ପକାଳୀନ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଉଭୟ ବିରୋଧୀ ଓ ଶାସକ ଗୃହରେ ସହଯୋଗ କରିବେ ବୋଲି ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଗୃହର ସମୟ ନିର୍ଦ୍ଧାରଣ କରାଯିବା ସହ ପ୍ରଥମ ଦିନରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ ।

ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ରହିଛି । ଚାଷୀ ଓ ସାର ସମସ୍ୟା ସହ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ, ମହିଳା ବିରୋଧୀ ହିଂସା ବୃଦ୍ଧି ପ୍ରସଙ୍ଗକୁ ଗୃହରେ ଉଠାଇ ଜବାବ ମାଗିବ ବିଜେଡି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଅନେକ ପ୍ରସଙ୍ଗ ଥିବାରୁ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବ ବୋଲି ଆଶା ବାଢ଼ିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

ଦେଢ ବର୍ଷର ରାଜ୍ୟ ସରକାରଙ୍କ ବିଫଳତାକୁ ମୌସୁମୀ ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ କରିବେ ବିରୋଧୀ । ଧାନ ନଉଠିବା ଠାରୁ ଆରମ୍ଭ କରି ସାର କଳାବଜାରୀ, ନାରୀ ନିର୍ଯାତନା, ରାଜ୍ୟ ସ୍ବାର୍ଥକୁ ଅଣଦେଖା ପରି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିବେ ବିରୋଧୀ । ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ରଣହୁଙ୍କାର ଦେଇଛି କଂଗ୍ରେସ । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କହିବା କଥା, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବାକୁ ଚାହୁଁଛନ୍ତି, ତାହାକୁ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ ।

ମୌସୁମୀ ଅଧିବେଶନ ପାଇଁ ଆସନ୍ତାକାଲି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ଏଥର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ବେଶ ଉଷ୍ମ ହେବାର ସମ୍ଭାବନା ରହିଛି ।