ମ୍ୟାଚରେ ହାତ ମିଳାଇବା କ’ଣ ଜରୁରୀ, କ’ଣ ରହିଛି ICCର ନିୟମ ?

1 min read

ଦୁବାଇରେ ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏକ ନୂଆ ବିବାଦ ଜନ୍ମ ନେଇଛି । ଏସିଆ କପର ଏହି ମୁକାବିଲାରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଟସ ଓ ଜିତିବା ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ । ଏହାପରେ ପାକିସ୍ତାନୀ ଅଧିନାୟକ ସଲମାନ ଆଗା ମ୍ୟାଚ ପରେ ପ୍ରେଜେଣ୍ଟେସନ ସେରେମନୀରେ ସାମିଲ ହୋଇନଥିଲେ । ଏହା ବିସିସିଆଇ ଓ ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଥିଲା । କିଛି ଜିନିଷ ଖେଳ ଭାବନା ଠାରୁ ଅଧିକ ହୋଇଥାଏ ବୋଲି ଭାରତୀୟ କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଖେଳ ପଡ଼ିଆରେ ଖେଳାଳିଙ୍କ ସହ ହାତ ମିଳାଇବା କ’ଣ ଜରୁରୀ ? ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର କ’ଣ ନିୟମ ରହିଛି ? ବ୍ୟାଟିଂ କରୁଥିବା ଟିମ ବିରୋଧୀ ଟିମ ସହ ହାତ ମିଳାଇବା ପାଇଁ ପଡ଼ିଆରେ ପ୍ରବେଶ କରିବା ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଏକ ପରମ୍ପରା ରହିଛି । ଏହା ଉଭୟ ପକ୍ଷଙ୍କୁ ଏକ ବନ୍ଧୁତାପୂର୍ଣ୍ଣ ମ୍ୟାଚର ପରିସମାପ୍ତି କରିବା ଓ ପ୍ରୋତ୍ସାହିତ ଭରା ଶବ୍ଦର ଆଦାନ ପ୍ରଦାନ କରିବାର ସୁଯୋଗ ଦେଇଥାଏ । ତେବେ ଖେଳାଳିମାନେ ହାତ ମିଳାଇବା ବାଧ୍ୟତାମୂଳକ ବୋଲି ଆଇସିସିର ନିୟମରେ ଲେଖା ନାହିଁ । ଆଇସିସି କୋଡ ଅଫ୍ କଣ୍ଡକ୍ଟରେ ଅନ୍ୟ କିଛି କଥା ଉଲ୍ଲେଖ କରାଯାଇଛି । କୁହାଯାଇଛି ଯେ, ’ମ୍ୟାଚରେ ବିରୋଧୀ ଟିମର ଖେଳାଳି ଓ ଅମ୍ପାୟାର୍ସଙ୍କୁ ସମ୍ମାନ କରାଯିବା ଉଚିତ ।’ ଏଥିପାଇଁ କ୍ରିକେଟରେ ମ୍ୟାଚ ସରିବା ପରେ ଖେଳାଳିମାନେ ସାଧାରଣ ଭାବେ ହାତ ମିଳାଇଥାନ୍ତି ଓ ବ୍ୟାଟ / ଗ୍ଲୋବସରେ ଅଭିବାଦନ କରିଥାନ୍ତି ।

କୋଡ ଅଫ୍ କଣ୍ଡକ୍ଟ କହୁଛି, କ୍ରିକେଟକୁ ଖେଳର ଭାବନା ଦ୍ବାରା ଖେଳାଯିବା ଉଚିତ । ନିରପେକ୍ଷ ଖେଳ ଖେଳିବାର ଦାୟିତ୍ବ ଅଧିନାୟକଙ୍କର । ଏହା ସମସ୍ତ ଖେଳାଳି, ଅମ୍ପାୟାର, ବିଶେଷ ରୂପେ ଜୁନିୟର କ୍ରିକେଟ ଶିକ୍ଷକ, ପ୍ରଶିକ୍ଷକ ଓ ଅଭିଭାବକଙ୍କର ମଧ୍ୟ ହୋଇଥାଏ । ନିଜ ଦଳର ଅଧିନାୟକ, ଟିମର ସାଥୀମାନେ, ବିରୋଧୀ ଓ ଅମ୍ପାୟାରଙ୍କ ଅଧିକାରର ସମାନ କରନ୍ତୁ । ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସ୍ବୀକାର କରନ୍ତୁ । ବିପକ୍ଷ ଦଳର ସଫଳତା ପାଇଁ ଅଭିନନ୍ଦନ ଜଣାନ୍ତୁ ଓ ନିଜ ଟିମର ସଫଳତାର ଆନନ୍ଦ ନିଅନ୍ତୁ । ତେବେ ନୋ-ହ୍ୟାଣ୍ଡଶେକଙ୍କୁ ନେଇ ପାକିସ୍ତାନର ବହୁ ପୂର୍ବତନ କ୍ରିକେଟର ସମାଲୋଚନା କରିଛନ୍ତି । ମ୍ୟାଚ ପରେ ସଲମାନ ଅଲୀ ଆଗା ନ ଆସି ଠିକ୍ କରିଛନ୍ତି ବୋଳି ଶୋଏବ ଅଖତର କହିଛନ୍ତି । ଅନ୍ୟପକ୍ଷରେ ଆମେ ନିଜ ସରକାର ଓ ବିସିସିଆଇ ସହ ଅଛୁ ବୋଲି ସୂର୍ଯ୍ୟକୁମାର କହିଛନ୍ତି ।