ବନ୍ୟା ବଢାଇଛି ଦୁର୍ଦ୍ଦଶା, ବିପନ୍ନଙ୍କୁ ଘାରିଛି ଖାଇବା ଓ ରହିବା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ : ବନ୍ୟା ବଢାଇଛି ଦୁର୍ଦ୍ଦଶା । ବିପନ୍ନଙ୍କୁ ଘାରିଛି ଖାଇବା ଓ ରହିବା ଚିନ୍ତା। ଯାଜପୁରର ଦଶରଥପୁରରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ବଢ଼ିଛି ଲୋକଙ୍କ ସମସ୍ୟା । କାଣୀ ନଦୀ ଯୋଗୁଁ ମଲ୍ଲିକାପୁର ଏବଂ କସାପା ପଞ୍ଚାୟତର ୧୫ରୁ ଅଧିକ ଗାଁ ପାଣିଘେରରେ ରହିଛି। ଗାଁରୁ ପାଣି ଛାଡିଥିଲେ ମଧ୍ୟ ଘରେ ମାଟି କାଦୁଅ ଭର୍ତ୍ତି ହୋଇ ଜୀବନଯାତ୍ରା ସ୍ବାଭାବିକ ହୋଇପାରିନି। ଧିରେ ଧିରେ ଆଶ୍ରୟସ୍ଥଳୀରୁ ଘରକୁ ଫେରୁଛନ୍ତି ବିପନ୍ନ ପରିବାର । ରାସ୍ତାରୁ ପାଣି ଛାଡିଥିବାରୁ ଲୋକମାନେ ଯାତାୟାତ କରିପାରୁଛନ୍ତି । ତେଣେ ବିପନ୍ନ ପରିବାରଙ୍କ ପଟ୍ଟା ପାଉତି, କବଲା ଓ ବ୍ୟାଙ୍କ କାଗଜପତ୍ର ଆଦି ଦରକାରୀ କାଗଜପତ୍ର, ସୁନାଗହଣା ଓ ଅନ୍ୟାନ୍ୟ ଜିନିଷପତ୍ର ବନ୍ୟାଜଳରେ ଭାସିଯାଇଛି । ଘରେ ଥିବା ଗାଡି ଓ ସାଇକେଲ ବି କାଦୁଅରେ ପୋତି ହୋଇଯାଇଛି। ପ୍ରାୟ ଅଧିକାଂଶ ଜିନିଷପତ୍ର ଧୋଇ ହୋଇ ନଷ୍ଟ ହୋଇଯାଇଛି । ଖାଦ୍ୟଶସ୍ୟ, ଆସବାସପତ୍ର ଆଦି ସବୁ କିଛି ଭସେଇ ନେଇଛି ବନ୍ୟା। ଏଭଳିସ୍ଥିତିରେ ଦୁଃଖ ଆଉ କୋହ ସମ୍ଭାଳି ପାରୁନାହାନ୍ତି ବିପନ୍ନ । ଏବେ କେବଳ ସରକାରୀ ସହାୟତା ହିଁ ବନ୍ୟା ବିପନ୍ନଙ୍କ ପାଇଁ ଏକମାତ୍ର ସାହା ଭରସା। ସେପଟେ ଭଦ୍ରକରେ ବି ସ୍ଥିତି ସମାନ। ଗତକାଲି ଭଣ୍ଡାରିପୋଖରୀ ବ୍ଲକର ପ୍ରଭାବିତ ପଞ୍ଚାୟତ ଗୁଡିକରେ ପାଣି କମିଥିବା ବେଳେ, ଆଜି ଧାମନଗର ବ୍ଲକର ପ୍ରଭାବିତ ପଞ୍ଚାୟତରେ ପାଣି କମିବାରେ ଲାଗିଛି। ଧାମନଗରର ହସନାବାଦ, ଅର୍ଜୁନପୁର ଓ ପ୍ରଧାନୀ ପଞ୍ଚାୟତର ୧୨ଟି ଗାଁର ସ୍ଥିତିରେ ଆସିଛି ସୁଧାର। ହେଲେ ବାହ୍ୟ ଜଗତରୁ ୪ ଦିନ ହେବ ବିଛିନ୍ନ ହୋଇ ରହିଥିବା, ଏହି ୩ ପଞ୍ଚାୟତକୁ ଆଜି ବି ସଂପୂର୍ଣ୍ଣ ଯାତାୟାତ ସମ୍ଭବ ହୋଇପାରିନାହିଁ। ଧୂଷୁରୀରୁ ସଂଯୋଗ ପ୍ରମୁଖ ରାସ୍ତା ଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି। ଅନ୍ୟପଟେ ଧାମନଗର ଚାନ୍ଦବାଲିର ହଜାର ହଜାର ହେକ୍ଟର ଜମିରେ ଏବେ ବି ବନ୍ୟା ଜଳ ଲହଡ଼ି ମାରୁଛି। ଯାହା ଧାନ ଚାଷକୁ ସଂପୂର୍ଣ୍ଣ ପ୍ରଭାବିତ କରିଛି।