ସୁରାଟରୁ ଅପହରଣ, ମୁମ୍ବାଇରେ ହତ୍ୟା; ଟ୍ରେନ୍ ଶୌଚାଳୟରୁ ମିଳିଲା ନାବାଳିକାର ଶବ, କାହିଁକି ମାରିଲା ଭାଇ ?
1 min read
ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇରେ ଏକ ଟ୍ରେନ ଶୌଚାଳୟରୁ ଜଣେ ୫ ବର୍ଷର ନାବାଳିକାଙ୍କ ଶବ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ନାବାଳିକାଙ୍କୁ ସୁରତରୁ ଅପହରଣ କରାଯାଇଥିବା ବେଳେ ମୁମ୍ବାଇରେ ହତ୍ୟା କରାଯାଇଛି । ଆଉ ହତ୍ୟା ପରେ ଶବକୁ ଟ୍ରେନର ଶୌଚାଳୟରେ ପକାଇ ଦିଆଯାଇଥିଲା । ତେବେ ଏହି ହତ୍ୟା ପଛରେ ନାବାଳିକାଙ୍କ ମଉସା ପୁଅ ଭାଇ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।
କୁଶିନଗର ଏକ୍ସପ୍ରେସ ଟ୍ରେନର ଶୌଚାଳୟରୁ ୫ ବର୍ଷ ନାବାଳିକାଙ୍କ ଶବ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଓ ଜିରାପି ମିଳିତ ଭାବେ ମାମଲାର ତଦନ୍ତ ଆରମ୍ଭ କରି ଦେଇଛନ୍ତି । ସୂଚନା ଅନୁସାରେ, ନାବାଳିକାଙ୍କ ଅପହରଣ ମାମଲା ସୁରଟରେ ରୁଜୁ କରାଯାଇଥିଲା । ଦୁଇଦିନ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ସୁରଟ ପୋଲିସ ନାବାଳିକାଙ୍କୁ ଖୋଜିବାରେ ଲାଗିଥିଲା । ଟ୍ରେନ ଶୌଚାଳୟରୁ ଶବ ମିଳିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ତଦନ୍ତକୁ ଜୋରଦାର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ କଳାକାଟି ହତ୍ୟା କରାଯାଇଛି । ସୁରଟ ପୋଲିସ ବି ଏହି ମାମଲାରେ ଯାଞ୍ଚ କରୁଛି । ଏହାସହ ରେଲଓ୍ବେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଲାଇଛି । ପ୍ରାଥମିକ ତଦନ୍ତରୁ ନାବାଳିକାଙ୍କୁ ତାଙ୍କ ମଉସାଙ୍କ ୨୫ ବର୍ଷିୟ ପୁଅ ଭାଇ ହତ୍ୟା କରିଥିବା କୁହାଯାଉଛି । ପାରିବାରିକ ବିବାଦକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ରେଳଓ୍ବେ କମିଶନର ରାକେଶ କାଲା ସାଗର କହିଛନ୍ତି, ଦୁଇଦିନ ପୂର୍ବେ ନାବାଳିକାଙ୍କ ନିଖୋଜ ମାମଲା ସୁରଟରେ ରୁଜୁ ହୋଇଥିଲା । ମାମଲାର ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ପାରିବାରିକ ବିବାଦରୁ ଅଭିଯୁକ୍ତ ଏହି କାଣ୍ଡ ଭିଆଇଥିବା ଜଣାପଡିଛି । ରାତି ପ୍ରାୟ ଗୋଟାଏରେ କୁଶିନଗର ଏଲଟିଟି କୋଚରୁ ନାବାଳିକାଙ୍କ ଶବ ମିଳିଥିଲା । ଏହା ବହୁତ ଦୁଃଖଦ ଘଟଣା । ନାବାଳିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ବର୍ତ୍ତମାନ ଅଭିଯୁକ୍ତକୁ ଧରିବାକୁ ଉଭୟ ସୁରଟ ପୋଲିସ ଓ ଜିଆରପି ଲାଗିପଡିଛନ୍ତି । ସିସିଟିଭି ଫୁଟେଜକୁ ତନ ତନ କରି ଯାଞ୍ଚ କରାଯାଉଛି । ପିଲା ଟ୍ରେନରେ କେମିତି ପହଞ୍ଚିଲା ? ତାକୁ ଟ୍ରେନରେ ହତ୍ୟା କରାଯାଇଥିଲା କି ଅନ୍ୟ ସ୍ଥାନରେ ହତ୍ୟା କରି ଟ୍ରେନ ଶୌଚାଳୟରେ ଶବ ରଖାଯାଇଥିଲା ? ହତ୍ୟା ପଛର କାରଣ କ’ଣ ଆଦି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଆଉ ଏହି ରସହ୍ୟ ଉପରୁ ଅଭିଯୁକ୍ତ ଧରାପଡ଼ିବା ପରେ ହିଁ ପରଦା ହଟିବ ।
ସୂଚନାଯୋଗ୍ୟ, ଟ୍ରେନ ନମ୍ବର 22537 ର ଏସି କୋଚ୍ B2 ର ଶୌଚାଳୟରୁ ନାବାଳିକାଙ୍କ ମୃତଦେହ ମିଳିଛି । ଶୌଚାଳୟରେ ଥିବା ଅଳିଆ ଡବାରେ ଶବ ରଖାଯାଇଥିଲା ।