ଏଫବିଆଇ କବଜାରେ ଆମରିକାର ମୋଷ୍ଟ ଓ୍ବାଣ୍ଟେଡ ସିଣ୍ଡି ରଡ୍ରିଗ ସିଂ

ନନ୍ଦିଘୋଷ ବ୍ୟୁରୋ: ଏଫବିଆଇ କବଜାରେ ଆମରିକାର ମୋଷ୍ଟ ଓ୍ବାଣ୍ଟେଡ ସିଣ୍ଡି ରଡ୍ରିଗ ସିଂ । ଆମେରିକାର ଟପ ଟେନ ମୋଷ୍ଟ ଓ୍ବାଣ୍ଟେଡ ପଳାତକ ତାଲିକାରେ ଥିଲେ ସିଣ୍ଡି । ମାମଲାର ସମ୍ମୁଖୀନ ହେବା ପୂର୍ବରୁ ବେଆଇନ ଭାବେ ଭାରତ ଚାଲିଆସିବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ୬ ବର୍ଷ ବୟସ୍କ ତାଙ୍କ ସନ୍ତାନ ନୋଏଲ ରଡ୍ରିଗ ଆଲଭାରେଜଙ୍କ ମୃତ୍ୟୁ ଘଟଣାରେ ଟେକ୍ସାସ ଷ୍ଟେଟ ପକ୍ଷରୁ ତାଙ୍କ ବିରୋଧରେ ଓ୍ବାରଣ୍ଟ ଜାରି ହୋଇଥିଲା । ପୁଅକୁ ହତ୍ୟା କରିବା ଘଟଣାରେ ମାମଲାର ସମ୍ମୁଖୀନ ହେବାକୁ ଏଡାଇବା ଲାଗି ସେ ଆମେରିକା ଛାଡି ଭାରତ ଚାଲିଆସିଥିଲେ । ଗତବର୍ଷ ଅକ୍ଟୋବର ୩ରେ ତାଙ୍କ ବିରୋଧରେ ଇଣ୍ଟରପୋଲ ରେଡ ନୋଟିସ ଜାରି ହୋଇଥିଲା ଏବଂ ଭାରତ ସମେତ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ସର୍କୁଲାର ପଠାଯାଇଥିଲା ।

ଏହା ସହ ପ୍ରତ୍ୟର୍ପଣ ଲାଗି ଭାରତ ନିକଟରେ ଦାବି କରାଯାଇଥିଲା । ତାଙ୍କୁ ଗିରଫ କରିବା ଲାଗି ଭାରତ ସରକାର ଓ ଇଣ୍ଟରପୋଲ ସହ ଏଫବିଆଇ ଯୋଗସୂତ୍ରରେ ଥିଲା । ଗିରଫ ପରେ ତାଙ୍କୁ ଟେକ୍ସାସ ନିଆଯାଇଛି । ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ । ପୁଅକୁ ହତ୍ୟା କରିବା ଘଟଣା ସମ୍ପର୍କରେ ଜଣାପଡିଥିଲା ଗତ ୨୦୨୩ ମାର୍ଚ୍ଚ ୨୦ରେ । ସିଣ୍ଡିଙ୍କ ପୁଅ ସମ୍ପର୍କରେ ଖୋଳତଡ଼ କରିବା ଲାଗି ଟେକ୍ସାସର ପରିବାର ଓ ସୁରକ୍ଷା ସେବା ବିଭାଗକୁ ଟେକ୍ସାସ ପୋଲିସ ନିର୍ଦ୍ଦେଶ ଦେବା ପରେ ଏହି ଖବର ପଦାକୁ ଆସିଥିଲା । ଗତ ୨୦୨୨ ଅକ୍ଟୋବରରୁ ପୁଅର କୌଣସି ଖୋଜଖବର ମିଳି ନଥିଲା । ପିଲାଟିର ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଥିଲା । ତେବେ ଯାଞ୍ଚ ସମୟରେ ପୁଅ ସମ୍ପର୍କରେ ସିଣ୍ଡି ଅନେକ ଭ୍ରାନ୍ତ ତଥ୍ୟ ପ୍ରଦାନ କରିଥିଲେ । ଏପରିକି ବାପାଙ୍କ ସହ ମେକ୍ସିକୋରେ ସେ ନଭେମ୍ବର ୨୦୨୨ରୁ ରହିଛି ବୋଲି ସିଣ୍ଡି କହିଥିଲେ । ୨୦୨୩ ମାର୍ଚ୍ଚ ୨୨ରେ ସିଣ୍ଡି, ତାଙ୍କ ସ୍ବାମୀ ଅର୍ଶଦୀପ ସିଂ ଓ ଅନ୍ୟ ୬ ସନ୍ତାନ ଭାରତ ଚାଲିଆସିଥିଲେ । ତେବେ ସେମାନଙ୍କ ମଧ୍ୟରେ ନିଖୋଜ ସନ୍ତାନ ନଥିଲା । ଗତ ଜୁଲାଇରେ ତାଙ୍କୁ ଏଫବିଆଇର ପଳାତକ ତାଲିକାରେ ସ୍ଥାନୀତ କରାଯାଇଥିଲା । ସିଣ୍ଡିଙ୍କ ଉପରେ ଏଫବିଆଇ ୨, ୫୦,୦୦୦ ଡଲାର ପୁରସ୍କାର ଘୋଷଣା କରିଥିଲା ।