ଅବପାତରେ ପରିଣତ ହେଲା ଲଘୁଚାପ ; ୨ଦିନ ଧରି ପ୍ରବଳ ବର୍ଷା

ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଏହା ସକ୍ରିୟ ରହିଛି । ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଦେଇ ଗତି କରିବ। ପ୍ରଭାବରେ ଆସନ୍ତା ୨ଦିନ ଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ରାୟଗଡା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ସେହିପରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଂଜାମ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବ । ଆଜି ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡାରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ୨୨ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।