୨୪ ତାରିଖକୁ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳିବ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ପିସିସି ସଭାପତି ଭକ୍ତ ଦାସଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ବାଲେଶ୍ବର ଛାତ୍ରୀଙ୍କ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟରେ ପାଳନ ହେବ ଶ୍ରଦ୍ଧାଞ୍ଜଳି ଦିବସ । ସେଦିନ କଂଗ୍ରେସ ସହ ୮ ବାମପନ୍ଥୀ ଦଳ ମଧ୍ୟ ସାମିଲ ହେବେ । ରାଜ୍ୟରେ ଗତ କିଛି ଦିନରେ ହତ୍ୟା, ଆତ୍ମହତ୍ୟାର ଶିକାର ହୋଇଥିବା ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳନ ହେବ ।

ବିଭିନ୍ନ ସ୍ଥାନରେ ମହିଳା କଂଗ୍ରେସ ଏହି ଦିବସ ପାଳନ କରିବ । କଲେଜ ଓ ବିଶ୍ବବିଦ୍ୟାଳୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା ସହ ଏହି ଦିବସ ପାଳନ କରିବାକୁ ଅପିଲ କରିଛନ୍ତି ଭକ୍ତ । ନ୍ୟାୟ ମିଳିଲେ ପୀଡିତାଙ୍କ ଆତ୍ମା ଶାନ୍ତି ପାଇବ । ତେଣୁ ଏହି ଦିବସ ପାଳନ କେବଳ ତାଙ୍କୁ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟ । ମହିଳା କମିଶନ ଗଠନ ସହ ସୁପ୍ରିମକୋର୍ଟଙ୍କ ମନିଟରିଂରେ ନ୍ୟାୟିକ ତଦନ୍ତର ଦାବି ମଧ୍ୟ ଦୋହରାଇଛନ୍ତି ଭକ୍ତ ।

ଖୁବ ଶୀଘ୍ର ମହିଳା ଅଭିଯୋଗ ପ୍ରକୋଷ୍ଠ ଖୋଲିବ କଂଗ୍ରେସ । ଯିଏ ଚାହିଁବେ ଆସି ଅଭିଯୋଗ କରି ପାରିବେ ବୋଲି ଭକ୍ତ ସୂଚନା ଦେଇଛନ୍ତି । ତେବେ ୨୪ ତାରିଖ ପରେ କ’ଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ସମସ୍ତ ଦଳ ମିଳିତ ବୈଠକ କରି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।