ମାଫିଆଙ୍କ ନୂଆ ଫଣ୍ଡା : ମିକ୍ସଚର ପ୍ଯାକେଟରେ ଧଳା ଜହର ରଖି ବେପାର

1 min read

ଖୋର୍ଦ୍ଧା : ନିଶା ବେପାର ପାଇଁ ମାଫିଆଙ୍କ ନୂଆ ଫଣ୍ଡା । ମିକ୍ସଚର ପ୍ଯାକେଟରେ  ଧଳା ଜହର ରଖି ବେପାର । ଜବତ ହେଲା ୧୫୦ ଗ୍ରାମର ବ୍ରାଉନସୁଗାର । ଖୋର୍ଦ୍ଧା ଜିଲ୍ଲା ସଦର ଥାନା କୁଞ୍ଜୁରି ପଞ୍ଚାୟତ ପୋଡ଼ାପାଟଣା ଗାଁରୁ ଜବତ ହୋଇଛି ଏହି ଧଳା ଜହର । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ସ୍ଵତନ୍ତ୍ର ସ୍କାର୍ଡ ପୋଡ଼ାପାଟଣା ଗାଁର ଏକ ମିକ୍ସଚର ଗୋଦାମରେ ଗତ ରାତିରେ ରେଡ କରିଥିଲେ । ଚଢାଉରେ ମିକ୍ସଚର ପ୍ଯାକେଟରୁ ୬ ପ୍ଯାକେଟ ଧଳା ଜହର ସହ ନଦଗ ୧ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ । ଏଥିସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ।

ତେବେ ଚଢାଉ ପରେ ଏହି ଘଟଣା ରୋଚକ ମୋଡ ନେଇଛି । ମିଛରେ ବ୍ୟବସାୟୀଙ୍କୁ ଫସାଇ ଦିଆଯାଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଆଜି ସକାଳୁ ଜିଲ୍ଲା ଅବକାରୀ କାର୍ଯ୍ଯାଳୟ ଘେରାଉ କରିଥିଲେ । ବିକ୍ଷୋଭରେ ଗ୍ରାମବାସୀ, ଲୋକ ପ୍ରତିନିଧିଙ୍କ ସମେତ ବେଗୁନିଆ ବିଧାୟକ ସାମିଲ ହୋଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ମିଛ ଚକ୍ରାନ୍ତ କରି ସଂପୃକ୍ତ ବ୍ଯବସାୟୀଙ୍କୁ ଫସାଇ ଦିଆଯାଇଛି । ତେଣୁ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏଠି ପ୍ରଶ୍ନ ଉଠୁଛି- ମିକ୍ସଚର ପ୍ଯାକେଟରେ କିଏ ରଖିଲା ବ୍ରାଉନସୁଗାର ? ଏତେ ପରିମାଣରେ ଧଳା ଜହର ଆସିଲା କୁଆଡୁ ? ପ୍ରକୃତରେ ବ୍ୟବସାୟୀ ଜଣକ ମିକ୍ସଚର ପ୍ୟାକେଟ ଭିତରେ ବ୍ରାଉନସୁଗାର ରଖିଥିଲେ ? ନା ତାଙ୍କୁ ଚକ୍ରାନ୍ତ କରି ଫସାଇ ଦିଆଯାଇଛି ? ଏ ସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ମିଳିବ ।