ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଭକ୍ତ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ସୁନାବେଶ । ରଥାରୂଢ଼ ଶ୍ରୀଜିଉ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ନୀତି ନିର୍ଘଣ୍ଟ ଅନୁଯାଇ ସନ୍ଧ୍ୟା ୫ଟାରେୁ ସୁନାବେଶ ଆରମ୍ଭ ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି କୋଟିପୂଣ୍ୟ ଅର୍ଜନ କରୁଛନ୍ତି । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ସୂର୍ଯ୍ୟ ତୁଲ୍ୟ ତା’ ଶ୍ରୀମୁଖ । ଚନ୍ଦ୍ରମା ତୁଲ୍ୟ ତା’ ଚକାନୟନ । ତା’ କଳା ବଦନରେ ଅସୁମାରି ଚମକ । ସେଥିରେ ପୁଣି ମହଣ ମହଣ ସ୍ବର୍ଣ୍ଣ ଆଭୂଷଣ ମଣ୍ଡିତ । ସୁନା ବେଶରେ ଦୁର୍ଲଭ ଦର୍ଶନ ଦେଉଛନ୍ତି ୩ ବିଗ୍ରହ । ରଥାରୂଢ଼ ଶ୍ରୀଜିଉଙ୍କ ଚତୁର୍ଦ୍ଦିଗରେ ଜନ ସମୁଦ୍ର । ଟିକେ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଶ୍ରୀଜିଉଙ୍କ ସୁନାବେଶ ଶ୍ରୀମନ୍ଦିର ଭିତରେ ବର୍ଷକୁ ୪ ଥର ଅନୁଷ୍ଠିତ ହେଉଥିବା ବେଳେ ଆଷାଢ଼ ଶୁଳ୍କ ପବିତ୍ର ହରିଶୟନ ଏକାଦଶୀରେ ରଥ ଉପରେ ଥରେ କେବଳ ହୋଇଥାଏ ।

ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବାବେଳେ ପାନୀୟ ଜଳ ଓ ପ୍ରାଥମିକ ଚିକତ୍ସା କେନ୍ଦ୍ର ପ୍ରସ୍ତୁତ ରଖାଯାଇଥିଲା ।

ସରକାରୀ ଆକଳନ ଚଳିତବର୍ଷ ସୁନାବେଶ ପାଇଁ ପୁରୀରେ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଶୃଙ୍ଖଳିତ ଦର୍ଶନ ନେଇ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଭକ୍ତଙ୍କ ସୁବିଧା ପାଇଁ କଡ଼ାକଡ଼ି ହୋଇଛି ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ ପରିଚାଳନା ପାଇଁ AI କ୍ୟାମେରାର ସହାୟତା ନେଉଛି ପୋଲିସ । ଏଥିପାଇଁ ପୁରୀ ସହର, ଭୁବନେଶ୍ଵର, କୋଣାର୍କରେ ଲାଗିଛି ମୋଟ ୨୭୫ଟି AI କ୍ୟାମେରା । ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ଡ୍ରୋନ ଯୋଗେ କଡ଼ ନଜର ରଖାଯାଇଛି । ଶ୍ରଦ୍ଧାଳୁମାନେ ମାର୍କେଟ ଛକରୁ ବ୍ୟାରିକେଡ୍ ଦେଇ ସିଂହଦ୍ୱାର ସମ୍ମୁଖରେ ତିନି ରଥ ପରିକ୍ରମା କରିବା ପରେ ଫେରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁସାରେ ସନ୍ଧ୍ୟା ପ୍ରାୟ ୫ଟାରୁ ସୁନାବେଶ ଆରମ୍ଭ ହୋଇ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବେଶ ଦର୍ଶନ ବ୍ୟବସ୍ଥା କରାଯାଇଛି ।