ନବୀନଙ୍କ ଭିଜନକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ, 5T ସ୍କୁଲ ସାଉଁଟିଲା ପ୍ରଶଂସା
1 min read
ଭୁବନେଶ୍ବର: ନବୀନଙ୍କ ଭିଜନକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ । 5T ସ୍କୁଲ ପରଫର୍ମାନ୍ସକୁ ପ୍ରଶଂସା । ୨୦୧୯-୨୦ ଶିକ୍ଷା ବର୍ଷରେ ପ୍ରଦର୍ଶନରେ ୧୪ ତମ ସ୍ଥାନ । ୨୦୨୩-୨୪ରେ ବଡ଼ ଡିଆଁ ମାରି ପଞ୍ଚମ ପୋଜିସନ । ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାର ବାରମ୍ବାର 5T ସ୍କୁଲ ବିରୋଧରେ ବର୍ଷି ଚାଲିଛି । ହେଲେ ଏଥର ବି ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଭୁଲ ପ୍ରମାଣିତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟରେ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ ନବୀନ ସରକାର । ଯାହାର ଫଳସ୍ବରୁପ କେନ୍ଦ୍ର ସରକାରଙ୍କ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶା ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରିଛି । ପରଫର୍ମାନ୍ସ ଗ୍ରେଡିଂରେ ଓଡିଶା ଜାତୀୟ ସ୍ତରରେ ୫୯୫.୬ ସ୍କୋର କରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚେଷ୍ଟା-୩ ଗ୍ରେଡ ହାସଲ କରିଛି । ପ୍ରଦର୍ଶନ, ପ୍ରଶାସନ ଓ ପରିଚାଳନା କ୍ଷେତ୍ରରେ ୭୩ଟି ମାନଦଣ୍ଡକୁ ଆଧାର କରି କେନ୍ଦ୍ର ସରକାର ପରଫର୍ମାନ୍ସ ଗ୍ରେଡେସନ କରିଥାନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ଜରିଆରେ ହିଁ ସଶକ୍ତ ଓଡିଶା ଗଠନ କରାଯାଇପାରିବ ବୋଲି ନବୀନ ସବୁବେଳେ କହି ଆସୁଥିଲେ । ସେଥିପାଇଁ ସେ ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିଥିଲେ । ସ୍କୁଲ ଶିକ୍ଷାରେ ଓଡ଼ିଶାକୁ ମିଳିଥିବା ଏହି ସଫଳତା ପାଇଁ ନବୀନ ସବୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ଥିବା ସବୁ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ଏହି ସଫଳତାକୁ ନବୀନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
କେରଳକୁ ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟର ମାନ୍ୟତା ମିଳିଛି । ହେଲେ କେନ୍ଦ୍ର ସରକାରଙ୍କ ରାଙ୍କିଂ ପରେ କେରଳକୁ ବି ପଛରେ ପକାଇ ଦେଇଛି ଓଡ଼ିଶା । 5T ସ୍କୁଲ ବ୍ୟବସ୍ଥାରେ ସରକାରୀ ସ୍କୁଲ ପାଇଥିଲେ ଦାମୀ ଘରୋଇ ସ୍କୁଲର ସୁବିଧା । ଏହା ଜରିଆରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, ସ୍ବଚ୍ଛ ପରିମଳ ବ୍ୟବସ୍ଥା ସହ ଉତ୍ତମ କ୍ରୀଡ଼ାର ବାତାବରଣକୁ ଉପାନ୍ତ ସ୍କୁଲରେ ବି ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ନବୀନ ସରକାର ।
5T ସ୍କୁଲ ଉନ୍ନତ ଶିକ୍ଷାଦାନର ପଦ୍ଧତି ଓ ପ୍ରଣାଳୀକୁ ପ୍ରତିପାଦନ କରି ପାରିଛି । ଯାହା ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଛି । ଶିକ୍ଷାର ଅଭିବୃଦ୍ଧିରେ 5T ମଡେଲର ପ୍ରମୁଖ ଭୂମିକା ନେଇ ବିଭିନ୍ନ ସର୍ଭେ ସଂସ୍ଥା ବି ପୂର୍ବରୁ ମୋହର ମାରି ସାରିଛନ୍ତି ।