ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଲା ଜାତୀୟ ମାନ୍ୟତା

1 min read

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ ନବୀନ ସରକାର । ଯାହାର ଫଳସ୍ବରୁପ କେନ୍ଦ୍ର ସରକାରଙ୍କ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶା ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରିଛି । ପରଫର୍ମାନ୍ସ ଗ୍ରେଡିଂରେ ଓଡିଶା ଜାତୀୟ ସ୍ତରରେ ୫୯୫.୬ ସ୍କୋର କରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚେଷ୍ଟା-୩ ଗ୍ରେଡ ହାସଲ କରିଛି । ୨୦୧୯ରେ ଓଡିଶା ୧୪ ନମ୍ବର ସ୍ଥାନରେ ଥିଲା । ପ୍ରଦର୍ଶନ ଏବଂ ପ୍ରଶାସନ ଓ ପରିଚାଳନା କ୍ଷେତ୍ରରେ ୭୩ଟି ମାନଦଣ୍ଡକୁ ଆଧାର କରି କେନ୍ଦ୍ର ସରକାର ପରଫର୍ମାନ୍ସ ଗ୍ରେଡେସନ କରିଥାନ୍ତି ।

ନବୀନ ପଟ୍ଟନାୟକ ସ୍କୁଲ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ଜରିଆରେ ହିଁ ସଶକ୍ତ ଓଡିଶା ଗଠନ କରାଯାଇପାରିବ ବୋଲି ନବୀନ ସବୁବେଳେ କହିଆସୁଥିଲେ । ସେଥିପାଇଁ ସେ ସ୍କୁଲ ଭିତ୍ତିଭୂମୀକୁ ସୁଦୃଢ କରିଥିଲେ । ସ୍କୁଲ ଶିକ୍ଷାରେ ଓଡିଶାକୁ ମିଳିଥିବା ଏହି ସଫଳତା ପାଇଁ ନବୀନ ସବୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ଥିବା ସବୁ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ଏହି ସଫଳତାକୁ ନବୀନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।