ବାଲେଶ୍ବର ବନ୍ୟା: ବିପଦ ସଂକେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା
1 min read
ବାଲେଶ୍ୱର: ଉତ୍ତର ବାଲେଶ୍ୱରରେ ଲାଗି ରହିଛି ବନ୍ୟା ସ୍ଥିତି। ବିପଦ ସଂକେତ ଉପରେ ପ୍ରବାହିତ ସୁବର୍ଣ୍ଣରେଖା। ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ରାଜଘାଟ ଠାରେ ୧୦.୩୬ ମିଟର ଥିବାବେଳେ ସକାଳ ୯ଟାରେ ୧୦.୭୧ ମିଟରରେ ପ୍ରବାହିତ ହେଉଛି। ଜଳକାରେ ବିପଦ ସଙ୍କେତ ୬. ୫ ମିଟର ଥିବାବେଳେ ୬.୪୮ ମିଟରରେ ଜଳ ପ୍ରବାହିତ ହେଉଛି। ଜାମଶୋଲାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବାବେଳେ ୪୯.୮ ମିଟରରେ ପ୍ରବାହିତ ହେଉଛି। ଏବେବି ୩୦ରୁ ଅଧିକ ପଞ୍ଚାୟତ ପାଣି ଘେରରେ ରହିଛନ୍ତି । ସୁବର୍ଣ୍ଣରେଖାର ବନ୍ୟା ଜଳ ପାଇଁ ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ, ରେମୁଣା, ସଦର ବ୍ଳକର ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଗାଁ ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଚାଷ ଜମି ଜଳମଗ୍ନ ହୋଇଛି । ଚାରିଆଡେ ସୃଷ୍ଟି ହୋଇଛି ନଦୀର ଭ୍ରମ । ଗାଲୁଡି ବ୍ୟାରେଜର ଗେଟ ଖୋଲିବା ଫଳରେ ନଦୀରେ ବନ୍ୟା ପାଣି ଆସି ଉତ୍ତର ବାଲେଶ୍ବରକୁ ଜଳମଗ୍ନ କରିଚି । ଉପରେ ମୁଣ୍ଡରେ ଅଧିକ ବର୍ଷାରେ ଭୟାବହ ସ୍ଥିତି ଉପୁଜିବାର ଆଶଙ୍କା କରାଯାଇଛି । ସେପଟେ ବୁଢାବଳଙ୍ଗ ନଦୀର ବନ୍ୟା ଜଳ ବି କିଛି ଅଞ୍ଚଳରେ ପ୍ରବେଶ କରିଛି । ଜିଲ୍ଲାରେ ପ୍ରାୟ ୩ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସବୁ ସ୍ଥାନରେ ଓଡ୍ରାଫର ୪ ଓ ଅଗ୍ନିଶମ ବିଭାଗର ୮ ଟି ଟିମ ମୁତୟନ ରହିଛନ୍ତି । ବିଛିନ୍ନ ଅଞ୍ଚଳକୁ SRC ବୋଟ ମାଧ୍ୟମରେ ଲୋକଙ୍କୁ ଯିବା ଆସିବା ସୁବିଧା ଯୋଗାଇ ଦିଆଯାଉଛି। ଏଥିସହିତ ୨୪ ଘଣ୍ଟିଆ ଜରୁରୀକାଳୀନ ନମ୍ବର ଜାରି କରାଯିବା ସହିତ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ।…