୧୭ ବର୍ଷ ପରେ ୫୦ ଶତକ କରି ନପାରିବାର ଦୁଃଖ ବଖାଣିଲେ ସୌରଭ ଗାଙ୍ଗୁଲି

ନନ୍ଦିଘୋଷ ବ୍ୟୁରୋ: ଦିନ ଥିଲା ଭାରତୀୟ କ୍ରିକେଟ୍ ଦଳରେ ସୌରବ ଗାଙ୍ଗୁଲିଙ୍କ ରାଜ ଚାଲୁଥିଲା । ନିଜ ସମୟରେ ବୋଲରଙ୍କ ପାଇଁ କାଳ ସାଜି କ୍ରିଜକୁ ଓହ୍ଲାଉଥିବା ଗାଙ୍ଗୁଲି ଅନ୍ତରାଷ୍ଟ୍ରିୟ କ୍ରିକେଟରେ ୩୮ ଶତକ ହାସଲ କରିଛନ୍ତି । ହେଲେ ତାଙ୍କୁ ଏହି ସଂଖ୍ୟା ପସନ୍ଦ ନୁହେଁ । ସେ ଚାହିଁଥିଲେ ୫୦ରୁ ଅଧିକ ଶତକ ହାସଲ କରିପାରିଥାନ୍ତି । ଆଉ ଏପରି କରି ପାରି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । କ୍ରିକେଟରୁ ଅବସର ନେବାର ୧୭ ବର୍ଷ ପରେ ଗାଙ୍ଗୁଲି ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ସାରା ଜୀବନ ଏହା ମୋ ପାଇଁ ଅବଶୋଷ ହୋଇ ରହିଯିବ ବୋଲି କହିଛନ୍ତି ।
ଗାଙ୍ଗୁଲି ୩୧୧ ଦିନିକିଆ ଓ ୧୧୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୮ ହଜାର ୫୭୫ ରନ୍ କରିଛନ୍ତି । ଯେଉଁଥିରେ ୩୮ଟି ଶତକୀୟ ପାରି ରହିଛି । ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ବହୁତ ଥର ଶତକ ଲଗାଇବାରୁ ବଞ୍ଚିତ ହୋଇଛି । ମୋତେ ଆହୁରି ଅଧିକ ରନ୍ ବନାଇବାର ଥିଲା । ମୁଁ ଏକାଧିକ ଥର ୯୦ ଓ ୮୦ ରନରୁ ଅଧିକ କରିଛି ।’ ଗାଙ୍ଗୁଲିଙ୍କ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ଜାଣିବା ସେ ୩୦ ଥର ୮୦ରୁ ଅଧିକ ରନ୍ କରି ଆଉଟ୍ ହୋଇଛନ୍ତି । ଯଦି ସେ ଏହାକୁ ଶତକରେ ପରିଣତ କରିପାରିଥାନ୍ତେ ତେବେ ତାଙ୍କ ଶତକ ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତି । ସୂଚନାଯୋଗ୍ୟ, ଗାଙ୍ଗୁଲି ୨୦୦୮ରେ ଶେଷ ଇନ୍ତରନ୍ୟାସନାଲ ମ୍ୟାଚ୍ ଖେଳିଥିଲେ ।
ସେ ଯେତେବେଳେ ଏକା ଥାନ୍ତି, ସେତେବେଳେ ପୁରୁଣା ଦିନର ନିଜ ଖେଳକୁ ଦେଖିଥାନ୍ତି । ସେ ନିଜେ ଏହା କହିଛନ୍ତି । ସେ ଆଡୁରି କହିଛନ୍ତି, ମୁଁ ମୋ ଖେଳ ଦେଖିବା ବେଳେ ଭାବେ ମୁଁ ଆହୁରି ଅଧିକ ଶତକ ଲଗାଇ ପାରିଥାନ୍ତି । ସେ କହିଛନ୍ତି, ଯେତେବେଳେ ମୋ ସ୍ତ୍ରୀ ଘରେ ନଥାନ୍ତି ମୁଁ ୟୁଟ୍ୟୁବରେ ନିଜର ଖେଳ ଦେଖିଥାଏ । ଆଉ ଯେତେବେଳେ ମୁଁ ୭୦ରୁ ଅଧିକ ରନ୍ କରି ଆଉଟ୍ ହୋଇଯିବା ଦେଖେ, ନିଜକୁ କହିଥାଏ ମୁଁ ଶତକ ମାରି ପାରିଥାନ୍ତି । ହେଲେ ଏହାକୁ ଆଉ ବଦଳାଇ ହେବନି ।
ସୂଚନାଯୋଗ୍ୟ, ଗାଙ୍ଗୁଲି ଦିନିକିଆରେ ୭୨ ଓ ଟେଷ୍ଟରେ ୩୫ ଥର ଅର୍ଦ୍ଧ ଶତକ କରିଥିଲେ ବି ଏହାକୁ ଶତକରେ ପରିଣତ କରିପାରି ନଥିଲେ ।