ବିପଦ ପାଲଟିଛି ସୋଲାର ଫେନ୍ୟି : କରେଣ୍ଟ ଲାଗି ୧୫ ଦିନ ମଧ୍ୟରେ ଗଲାଣି ଗୋଟିଏ ହାତୀ ସହ ୨ ଲୋକଙ୍କ ଜୀବନ

1 min read

ଅନୁଗୁଳ : ବଢୁଛି ହାତୀ ଉପଦ୍ରବ । ଅନୁଗୁଳ ବନଖଣ୍ଡ ଛେଣ୍ଡିପଦାରେ ମଣିଷଙ୍କୁ ନୟାନ୍ତ କଲାଣି ହାତୀପଲ । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳ ହାତୀର ଜୀବନ ଯାଉଛି ତ କେତେବେଳେ ନିରୀହ ମଣିଷର ଜୀବନ ଯାଉଛି  l ୧୫ ଦିନ ମଧ୍ୟରେ ବିଦ୍ୟୁତ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ବେଳେ ୫ ମାସ ମଧ୍ୟରେ ୭ ଜଣଙ୍କ ଜୀବନ ଯାଇଛି ଓ ୬ ଟି ଗୃହପାଳିତ ପଶୁଙ୍କ ଜୀବନ ଯାଇଛି । ହେଲେ ବନବିଭାଗ ପକ୍ଷରୁ ହାତୀକୁ ଟ୍ରାଙ୍କୁଲାଇଜ କରାଯାଉନଥିବାରୁ ଆନ୍ଦୋଳନା ମୁହାଁ ଲୋକେ ।

ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ଅଞ୍ଚଳରେ ହାତୀ ଉପଦ୍ରବ । କେତେବେଳେ ହାତୀ ମଣିଷକୁ କଚାଡି ମାରୁଛି ତ କେତେବେଳେ ହାତୀର ମୃତ୍ୟୁ ଘଟୁଛି । ହାତୀ ମଣିଷ ଲଢେଇରୁ ହାତୀ ଓ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଜଙ୍ଗଲ ନିକଟବର୍ତ୍ତୀ ଜନବସତିରେ ବଡ ବଡ ଟ୍ରେଞ୍ଚ ଖୋଲିବା ସହ ସୋଲାର ଫେନ୍ସିଂ କରାଯାଇଛି । କିନ୍ତୁ ଏହି ସୋଲାର କରେଣ୍ଟ ହାତୀ ଓ ମଣିଷଙ୍କ ଜୀବନ ନେଲାଣି । ଗତ ୧୫ ଦିନ ମଧ୍ୟରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ବେଳେ ବନ୍ତଳା ବନାଞ୍ଚଳରେ ୨ ଜଣ ଲୋକଙ୍କ ଜୀବନ ଗଲାଣି । ଯାହାକୁ ନେଇ ବନବିଭାଗ ଗାଁରେ ଲାଗିଥିବା ସୋଲାର ଝଟକା ମେସିନକୁ ବନ୍ଦ କରୁଥିବାରୁ ତେଜୁଛି ଅସନ୍ତୋଷ ।

ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର ସୋଲାର ମେସିନ ଲଗାଇବା ପାଇଁ ସବସିଡି ପ୍ରଦାନ କରୁଛନ୍ତି । ବର୍ତ୍ତମାନ ହାତୀ ମଣିଷର ଜୀବନ ଯାଉଥିବାରୁ ବିଭାଗ ତାହା ବନ୍ଦ କରିଦେଉଛି । ଯାହା ଫଳରେ ଚାଷୀଙ୍କ ବ୍ୟାପକ ଫସଲ କ୍ଷତି ହେଉଛି । ପ୍ରତିବାଦ କଲେ ହାତୀ ମୃତ୍ୟୁ ଅଭିଯୋଗରେ ଚାଷୀଙ୍କୁ ଗିରଫ କରାଯିବାର ଧମକ ଦିଆଯାଉଛି । ହାତୀ ଦାଉରୁ ସୁରକ୍ଷା ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ  l ଯଦି ଗାଁକୁ ପଶୁଥିବା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାନଯାଏ ତାହାଲେ ଆଗାମୀ ଦିନରେ ୪ ଟି ପଞ୍ଚାୟତର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ଏଠି ପ୍ରଶ୍ନ ଉଠୁଛି- ସୋଲାର ମେସିନକୁ ଅଧିକ ମାତ୍ରାରେ କରେଣ୍ଟ ଦିଆଯାଉଛି କି ? କାହିଁକି ହାତୀ ଓ ମଣିଷକୁ ଝଟକା ଲାଗୁଛି ? ସୋଲାର ଫେନସିଂ ଠିକ ସେ କରାଯାଉନି କାହିଁକି ? ଏ ଦିଗରେ ବନବିଭାଗ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।