‘ଆଡ଼ପ ପହଣ୍ଡି ଅଘଟଣର ଫଳ ଭୋଗୁଛନ୍ତି ଦେଶବାସୀ’

1 min read

ପୁରୀ : ଆଡ଼ପ ପହଣ୍ଡି ଅଘଟଣର ଫଳ ଭୋଗୁଛନ୍ତି ଦେଶବାସୀ । ପ୍ରାୟଶ୍ଚିତ ନ କରିବାରୁ ବଢୁଛି ଦୁର୍ଘଟଣା, ହତ୍ଯା, ମୃତ୍ଯୁ । ଗତବର୍ଷ ଆଡ଼ପ ମଣ୍ଡପ ପହଣ୍ଡିବେଳେ ମୁହଁମାଡ଼ି ପଡ଼ି ଯାଇଥିଲେ ବଡ଼ଭାଇ ବଳଭଦ୍ର । ଅନେକ ସେବାୟତ ଏଥିରେ ଆହତ ମଧ୍ଯ ହୋଇଥିଲେ । ଏହାକୁ ନେଇ ଆଶଂକା ବ୍ଯକ୍ତ କରିବା ସହ ପ୍ରାୟଶ୍ଚିତ ପାଇଁ ପରାମର୍ଶ ଦେଇଥିଲେ ପଣ୍ଡିତ । ତେବେ ପୂଜାପାଠ ପାଇଁ ନିଷ୍ପତ୍ତି ନିଆଯାଇଥିଲେ ସୁଦ୍ଧା ଏହାକୁ କରାଗଲା ନାହିଁ । ତେଣୁ ରାଜ୍ଯ ଓ ଦେଶ ଉପରେ ବିପଦ ଆସିଥିବା ପଣ୍ଡିତମାନେ ମତ ଦେଇଛନ୍ତି । ଏପରିକି ଗଜପତି ମହାରାଜାଙ୍କ ପରିବାର ଉପରେ ମଧ୍ଯ ଏହାର ପ୍ରଭାବ ପଡ଼ିଛି । ଗଜପତିଙ୍କ ପରିବାରର ଜଣେ ସଦସ୍ୟ ଥାଟ ରାଜା ରାଣାର୍ଣ୍ଣବ ଦେବଙ୍କ ବିୟୋଗ ଘଟିଛି l ପ୍ରାୟଶ୍ଚିତ ବିଧି କରିଥିଲେ ହୁଏତ ଏଭଳି କ୍ଷତି ହୋଇନଥାନ୍ତା ବୋଲି ମତ ଦେଇଛନ୍ତି ପଣ୍ଡିତ ।

ପହଲଗାମ ଆକ୍ରମଣ ଘଟଣା ହେଉ କି ଅହମ୍ମଦାବାଦ ବିମାନ ଦୁର୍ଘଣା, ପୁଣେରେ ବ୍ରିଜ ଭାଙ୍ଗିବା ଘଟଣା ପରି ଅନେକ ଅଘଟଣ ଘଟି ଅନେକଙ୍କ ଜୀବନ ଗଲାଣି । ଦେଶରେ ଯୁଦ୍ଧ ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇଛି । ଏହାଛଡ଼ା ବନ୍ୟା, ବାତ୍ୟା, ହଇଜା ପରି ଅନେକ ବିପର୍ଯ୍ଯୟର ଲୋକେ ସାମ୍ନା କରୁଛନ୍ତି । ଧାର୍ମିକ ବିଧି ବିଧାନ ତଥା ଶାସ୍ତ୍ରୀୟ ମତ ଅନୁସାରେ ବଳଭଦ୍ର ମହାପ୍ରଭୁଙ୍କର ଅଘଟଣ ନେଇ ପ୍ରାୟଶ୍ଚିତ ବିଧି କରାଯାଇଥିଲେ ଏପରି ଅଘଟଣ ଘଟି ନଥାନ୍ତା ବୋଲି ମତ ଦେଇଛନ୍ତି ପଣ୍ଡିତ । ନୀଳାଦ୍ରି ମହୋଦୟ ଅନୁସାରେ ଶାସ୍ତ୍ରୀୟ ବିଧି ବିଧାନକୁ ଅବମାନନା ରାଷ୍ଟ୍ର ପାଇଁ ଏକ ଚେତାବନୀ ବୋଲି ସେମାନେ ମତ ଦେଇଛନ୍ତି । ପରମ୍ପରା ଓ ଶାସ୍ତ୍ରୀୟ ବିଧିବିଧାନକୁ ନେଇ ଜଗନ୍ନାଥ ସଂସ୍କୃତିରେ କୌଣସି ଅଘଟଣ ବଭିଷ୍ୟତ ପାଇଁ ସତର୍କ ସୂଚନା ଦେଇଥିବା ସତ୍ୱେ ଏହାକୁ ନେଇ ବିହିତ ପଦକ୍ଷେପ କରାନଗଲେ ଅନିଷ୍ଟର କାରଣ ହୋଇଥାଏ ବୋଲି କୁହାଯାଇଛି ।