ମରଣଯନ୍ତା ପାଲଟିଛି କଟକ-ଭୁବନେଶ୍ବର ନେତାଜୀ ସେତୁ
1 min read
କଟକ : ସେତୁ ଉପରେ ବିପଦ । ବାଲିର ଆସ୍ତରଣ ଭିତରେ ଲୁଚିଲାଣି ରାସ୍ତା । ସାମାନ୍ଯ ଅସାବଧାନ ହେଲେ ଚକା ଖସି ପଡ଼ିବା ନିଶ୍ଚିତ । ଇଏ ହେଉଛି କଟକ- ଭୁବନେଶ୍ବରର ପ୍ରମୁଖ ନେତାଜୀ ସେତୁ । ପ୍ରତିଦିନ ଶହଶହ ସଂଖ୍ଯାରେ ବାଲି ଟ୍ରକ ଓ ଟ୍ରାକ୍ଟର ଏହା ଉପରେ ଯାତାୟାତ କରୁଛି । ବାଲି ଉଡ଼ି ରାସ୍ତା ଦୁଇ ପାର୍ଶ୍ବରେ ଜମିଲାଣି ୩ଫୁଟ ଚଉଡ଼ା ଓ ଦୁଇଇଞ୍ଚ ଉଚ୍ଚତାର ବାଲି । ପ୍ରଶାସନ ଏହାକୁ ସଫା କରୁ ନଥିବାରୁ ଅନେକ ସମୟରେ ବାଇକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ବାଲି ଉଡ଼ି ଆଖିରେ ପଶିବା ସହ ଚକା ଖସି ପଡୁଛନ୍ତି ବାଇକ ଓ ସାଇକେଲ ଚାଳକ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ଗତବର୍ଷ ସମାନ ସ୍ଥିତି ଉପୁଜିଥିଲା । ଫଳରେ ଲୋକଙ୍କ ଅଭିଯୋଗ ପାଇବା ପରେ ମେୟର ପହଞ୍ଚି ଟ୍ରାକ୍ଟର ଲଗାଇ ବାଲି ସଫେଇ କରିଥିଲେ । ଏବେ ମେୟର ଏହାକୁ ଚିନ୍ତାଜନକ ବିଷୟ ବୋଲି ମାନୁଥିଲେ ସୁଦ୍ଧା ସଫା କରିବା ପାଇଁ ଲୋକବଳ ଓ ଅର୍ଥର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ପ୍ରଶାସନ ବାଲି ଘାଟରୁ ଓ ଅନ୍ଯ ବାବଦରେ ଟଙ୍କା ଆଦାୟ କରୁଥିବାରୁ ଏହାର ସଫେଇ ଦେଖିବା କଥା ବୋଲି ସେ କହିଛନ୍ତି । କାଠଯୋଡ଼ି ନଦୀ ଉପରେ ସେତୁ ନିର୍ମାଣ ହେବା ପରଠାରୁ ଏହା କଟକ ଭୁବନେଶ୍ବରବାସୀଙ୍କ ପ୍ରମୁଖ ରାସ୍ତା ପାଲଟିଛି । ତେଣୁ ଏହାର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।