ରଥ ଉପରେ ମୋବାଇଲ ମନା, ଅଣ ସେବାୟତ ଚଢିଲେ ହେବ ଫୌଜଦାରି ମାମଲା

ପୁରୀ  : ରଥ ଉପରେ ମୋବାଇଲ ବ୍ଯବହାର ସମ୍ପୂର୍ଣ୍ଣ ବାରଣ । ଅଣସେବାୟତ ଚଢିଲେ ନିଆଯିବ ଦୃଢ କାର୍ଯ୍ଯାନୁଷ୍ଠାନ । ଦଇତାପତି ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକଙ୍କ ସହ ବାଡଗ୍ରାହୀ ଓ ଯୁବ ଦଇତାପତିମାନ ଯୋଗ ଦେଇଥିଲେ । ଚଳିତବର୍ଷ ଗୋଟିଏ ଦିନରେ ନବଯୌବନ ଓ ନେତ୍ରୋତ୍ସବ ଥିବାରୁ ଶୃଙ୍ଖଳିତ ଦର୍ଶନ ଓ ପ୍ରସାଦ ସେବନ ଉପରେ ଗୁରୁତ୍ବ ଦିଆଯାଛି । ପହଣ୍ଡି ଅଘଟଣ ଏଡାଇବାକୁ ସ୍ଵତ୍ଵଲିପି ଅନୁଯାୟୀ ସେବକଙ୍କୁ ନେଇ ଗଠିତ ହୋଇଛି ପହଣ୍ଡି ଟିମ୍ । ୩ ଜଣିଆ କମିଟିର ପରାମର୍ଶକ୍ରମେ ପହଣ୍ଡି କାର୍ଯ୍ୟ କରାଯିବ ।

ଅନ୍ୟ ସମସ୍ତ ନିଯୋଗର ସୂଚୀ ଆସିବା ପରେ ପହଣ୍ଡି ନେଇ ଫାଇନାଲ ଲିଷ୍ଟ ପ୍ରସ୍ତୁତ ହେବ । ସେବକଙ୍କ ସହାୟକ କେବଳ ଆବଶ୍ୟକ ସମୟରେ ରଥ ଉପରକୁ ଯାଇପାରିବେ । ରଥ ଉପରକୁ ଛଦ୍ମବେଶୀ ଚଢିଲେ ହେବ ଫୌଜଦାରି ମାମଲା । ସେପଟେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁବା ଘଟଣାର ଚାଲିଛି ତଦନ୍ତ । ଭିଡିଓ ଫୁଟେଜର ଯାଞ୍ଚ୍ ପରେ ନିଆଯିବ କାର୍ଯ୍ଯାନୁଷ୍ଠାନ । ୨୮ ଜୁନ ଠାରୁ ୬ ଜୁଲାଇ ରଥଯାତ୍ରା ସମୟରେ ଭିତର ରତ୍ନ ଭଣ୍ଡାର ମରାମତି ସାରିବାକୁ ଏଏସଆଇକୁ ଲେଖାଯାଇଛି ଚିଠି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ଭସାଡ ଲାଇଟ୍ ଆହୁରି ସୁଦୃଢ଼ୀକରଣ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହାର ସୋନ୍ଦର୍ଯ୍ୟକରଣ, ସୂଚନା କେନ୍ଦ୍ର, ସିଂହଦ୍ୱାର ଓ ନାକଚଣା ଦ୍ଵାରରେ ହୋଇଛି ସୌନ୍ଦର୍ଯ୍ୟକରଣ । ଭକ୍ତଙ୍କୁ ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ସୂଚନା ଦେବାକୁ ନୂଆକରି ଲାଗିଛି ଏଲଇଡି । ସେପଟେ ଦିବ୍ୟାଙ୍ଗ ଦର୍ଶନକୁ ବ୍ୟବସ୍ଥିତ କରିବାକୁ ଉତ୍ତରଦ୍ଵାରରେ ସରିଛି ରାମ୍ପ । ପରମ୍ପରା ନଭାଙ୍ଗି ହେବ ଦିବ୍ୟାଙ୍ଗ ଦର୍ଶନ ବ୍ୟବସ୍ଥା । ଆବଶ୍ୟକ ପଡିଲେ ନିୟୋଜିତ ହେବେ ଅଧିକରୁ ଅଧିକ ସ୍ବେଛାସେବୀ । ଶ୍ରୀମନ୍ଦିର ନାଟମଣ୍ଡପରେ ଖୁବଶୀଘ୍ର ଏସି ବ୍ୟବସ୍ଥା ପାଇଁ ଏଏସଆଇର ଅନୁମତି ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ସୁନାବେଶରେ ଶ୍ରୀପୟର, ଶ୍ରୀଭୁଜକୁ ଭକ୍ତଙ୍କ ଦର୍ଶନ ପାଇଁ ଅବରୋଧ ନକରିବାକୁ ପରାମର୍ଶ ଦିଆଯାଇଛି ।