ଜଣକ ପରେ ଜଣେ ଟପ୍ ମାଓନେତା ନିପାତ, ‘ଲାଲ’ ରକ୍ତ ଛିଟାରେ ଭିଜିଲା ଅବୁଜମାଡ ଜଙ୍ଗଲ

1 min read

ଜୟପୁର : ମୁଖିଆ ଶୂନ୍ୟ ହେଉଛି ମାଓ ସଙ୍ଗଠନ । ଜଣକ ପରେ ଜଣେ ଟପ୍ ମାଓନେତା ନିପାତ। `ଲାଲ’ ରକ୍ତ ଛିଟାରେ ଭିଜିଲା ଅବୁଜମାଡ ଜଙ୍ଗଲ । ଯବାନଙ୍କ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୨୭ ମାଓବାଦୀ । ମୃତକଙ୍କ ମଧ୍ୟରେ ରହିଛି ବାସବ ରାଜ୍ ଓରଫ୍ ନାମ୍ବାଲା କେଶବ ରାଓ ଓରଫ କ୍ରିଷ୍ନା ଓରଫ ଗାଗନ୍ନା। କେନ୍ଦ୍ରିୟ କମିଟି ମୁଖ୍ୟ ତଥା CPI ମାଓ ସଂଗଠନର ସାଧାରଣ ସଂପାଦକ ଥିଲା ବାସବ ରାଜ୍ । ୨୦୧୮ ମସିହାରେ ଟପ୍ ମାଓ ନେତା ଗଣପତିର ମୃତ୍ୟୁ ପରେ କେଶବ ରାଓ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ଦାୟିତ୍ୱ ନେଇଥିଲା । ଘର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜିଆନ୍ନାପେଟ ଗାଁରେ ବୋଲି ଜଣାପଡିଛି । କେଶବ ରାଓଙ୍କ ମୁଣ୍ଡ ଉପରେ କେବଳ ଛତିଶଗଡରେ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା ଓଡିଶା ଓ ଝାଡଖଣ୍ଡ ରେ ମଧ୍ୟ କେଶବ ରାଓ ଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା ହୋଇଥିଲା । ହେଲେ ସବୁବେଳେ ପୋଲିସକୁ ଚକମା ଦେଇ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଖସି ପଳାଇବାରେ ସଫଳ ହେଉଥିଲା କେଶବ ରାଓ । ଗତକାଲି ଛତିଶଗଡ ଡିଆରଜି ବାହିନୀ ଗୁଳିରେ ପ୍ରାଣ ହରାଇଛି ଏହି ଟପ ମାଓନେତା —

ଅବୁଜମାଡ ଜଙ୍ଗଲରେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ଅପରେସନରେ ଡିଆରଜି ଜବାନଙ୍କ ସହ ସିଆରପିଏଫ ବାହିନୀ ମଧ୍ୟ ସାମିଲ୍ ଅଛନ୍ତି । ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। କାରଣ ଯେଉଁ ମାଓବାଦୀଙ୍କ ଦେହରେ ଗୁଳି ବାଜିଛି ସେମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଅନ୍ୟ ପଟେ ମାଓବାଦୀଙ୍କ ଗୁଳିରେ ଜଣେ ସୁରକ୍ଷା କର୍ମୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି। ଆହତ ଜବାନଙ୍କୁ ବାୟୁ ସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । କେଶବ ରାଓଙ୍କ ମୃତ୍ୟୁ ପରେ ଏକ ପ୍ରକାର ଦୁର୍ବଳ ହୋଇ ପଡିଛି ଲାଲ୍ ବାହିନୀ । ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା ମହାରାଷ୍ଟ୍ର ଓ ଛତିଶଗଡ଼ରେ ଲଗାତର ଭାବେ ମାଓ ବିରୋଧୀ ଅପରେସନ ଜାରି ରହିଥିବା ବେଳେ ମୁଣ୍ଡ ଗୁଞ୍ଜିବା ଲାଗି ଆଉ ସୁରକ୍ଷିତ ସ୍ଥାନ ଖୋଜି ପାଉନାହାନ୍ତି ଲାଲବାହିନୀ ।