ରାଜ୍ୟକୁ ଫେରିଛି କୋରୋନା ଭୂତାଣୁ, ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସଜାଗ
1 min read
ଭୁବନେଶ୍ୱର : ପୁଣି ଫେରିଲା କୋରୋନା । ତିନି ବର୍ଷର ବ୍ଯବଧାନ ପରେ ରାଜ୍ଯରେ ଜଣେ ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତ ଜଣକ ଜଣେ ବରିଷ୍ଠ ନାଗରିକ ହୋଇଥିବାବେଳେ ସେ ଏକାଧିକ ରୋଗରେ ପୀଡିତ । ଏବେ ସେ କ୍ବାରେଣ୍ଟାଇନରେ ଅଛନ୍ତି । ରାଜଧାନୀର ଏକ ଘରୋଇ ହସପିଟାଲରେ ହେଉଛନ୍ତି ଚିକିତ୍ସିତ । ସେପଟେ ଏହି ଖବର ଆସିବା ପରେ ତତ୍ପର ହୋଇଉଠିଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ବୈଠକ ପରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସଚିବ। କୋରୋନାର ଏହି ଭାରିଆଣ୍ଟ ମାଇଲଡ ବୋଲି କହିବା ସହ ଏହା ବ୍ୟାପିବାର ସମ୍ଭାବନା କମ । ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କୁହାଯାଇଛି । କୋରୋନା ସାରା ଦେଶରୁ ସମ୍ପୂର୍ଣ୍ଣ ହଟିନି। ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ଅଛି ବୋଲି କୁହାଯାଇଛି । ସେପଟେ କରୋନା ପାଇଁ ଭାରତ ସରକାରଙ୍କ ପକ୍ଷରୁ କୌଣସି ଗାଇଡଲାଇନ୍ ଆସିନାହିଁ। କେବଳ ନଜର ରଖିବାକୁ କୁହାଯାଇଥିବାବେଲେ ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।
ରାଜ୍ୟରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟବାସୀ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଚିକିତ୍ସକ। କୋଭିଡର ପ୍ରଥମ ଦୁଇଟି ଲହର ଆଲଫା ଓ ଡେଲ୍ଟା ଭରିଆଣ୍ଟ ଥିଲା। ପରେ ଓମିକ୍ରନ ଭାରିଆଣ୍ଟ ଆସିଲା। କିନ୍ତୁ ଏହା ବିଶେଷ କ୍ଷତି କଲା ନାହିଁ। ଅନ୍ୟାନ୍ୟ ଦେଶରେ ସଂକ୍ରମଣ ପରେ ଏବେ ଓଡ଼ିଶାରେ ଚିହ୍ନଟ ହୋଇଛି। ଏବେ ଓମିକ୍ରନର ସବଭାରିଆଣ୍ଟ ଏଲଏଫ-୭, ଜେଏନ-୧ ବ୍ୟାପୁଛି। ଏହା ଛୋଟ ଲହରର ରୂପ ନେବ। ସଂକ୍ରମଣ ବୃଦ୍ଧି ପାଇବ। ଏଥିରେ ଆତଙ୍କିତ ହେବା ଆବଶ୍ୟକ ନାହିଁ। କୋଭିଡର ଏହି ଭାରିଆଣ୍ଟ ହେଉଛି ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ। ଏହା ଏତେ କ୍ଷତିକାରକ ନୁହେଁ। କିନ୍ତୁ ଅନ୍ୟାନ୍ୟ ବଡ଼ ରୋଗ ଥିଲେ ଲୋକେ ସତର୍କ ରହିବା ଜରୁରୀ । ଲୋକେ ମାସ୍କ ପିନ୍ଧିବା, ହାତ ଧୋଇବା, ଅଧିକ ଭିଡକୁ ନ ଯିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ ବିଏମସି ସବୁ ପରିସ୍ଥିତ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର। ସରକାର ଯାହା ଗାଇଡଲାଇନ ଜାରି କରିବେ ଆମେ ତାହା ଉପରେ କାମ କରିବୁ। ପୂର୍ବରୁ କୋଭିଡ ପରିଚାଳନାରେ ବିଏମସିର ଅଭିଜ୍ଞତା ରହିଛି ବୋଲି ମେୟର କହିଛନ୍ତି।କୋରୋନାର ଭୟାବହତା ସମୟରେ ରାଜ୍ୟରେ ଅନେକ ଗାଇଡଲାଇନ ଓ କଟକଣା ରହିଥିବା ବେଳେ ଆଗକୁ ସ୍ଥିତି କିଭଳି ରହିବ ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।