ଗୋଟିଏ ପରିବାର ଥିବା ଗାଁକୁ ମିଳିଛି ରାଜସ୍ଵ ଗାଁ ମାନ୍ୟତା

1 min read

ଆନନ୍ଦପୁର : ଗୋଟିଏ ପରିବାର ଥିବା ଗାଁକୁ ମିଳିଛି ରାଜସ୍ଵ ଗାଁ ମାନ୍ୟତା । ଆଶ୍ଟର୍ଯ୍ୟ ଲାଗୁଥିଲେ ବି ସତ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡ଼ମା ପଞ୍ଚାୟତ ଟଙ୍କାଗଡ଼ିଆ ଗାଁକୁ ରାଜସ୍ଵ ଗ୍ରାମର ମାନ୍ୟତା ମିଳିଛି । ହେଲେ ଗାଁରେ ନାହିଁ ବିଦ୍ୟୁତ, ଶିକ୍ଷା, ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ସୁଯୋଗ । ଫଳରେ ଆଗରୁ ଥିବା ଏକାଧିକ ପରିବାର ଗୋଟିଏ ପରେ ଗୋଟିଏ ଅନ୍ୟତ୍ର ଚାଲିଯାଇଛନ୍ତି । କୃଷ୍ଣ ଦାସଙ୍କ ପରଲୋକ ପରେ ତାଙ୍କ ୪ ପୁଅ ଦୀନବନ୍ଧୁ ଦାସ, ଜଗବନ୍ଧୁ ଦାସ, କୃପାସିନ୍ଧୁ ଦାସ, ସୁକାନ୍ତ ଦାସ ଏହି ଗାଁରେ ରହୁଛନ୍ତି।

୨୫ ବର୍ଷ ତଳେ ଟଙ୍କାଗଡ଼ିଆ ଗାଁରେ ୧୦ରୁ ୧୨ ପରିବାର ବସବାସ କରୁଥିଲେ । ୨୦୦୭-୦୮ରେ ଏହି ଗାଁକୁ ରାଜସ୍ଵ ଗ୍ରାମ ଘୋଷଣା କରାଗଲା । ଗାଁରେ ମୌଳିକ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଲେନି । ବାରମ୍ବାର ଏନେଇ ଅଭିଯୋଗ କରିବା ପରେ ୨୦୧୨ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଆଦର୍ଶ ଗ୍ରାମ ଘୋଷଣା କରାଯାଇଛି । ମୌଳିକ ସୁବିଧା ପାଇଁ କରାଯାଇଥିବା ନଳକୂଅଟି ଅଚଳ । ହାଟଡିହି ବିଡିଓଙ୍କ କହିବା କଥା, ତଦନ୍ତ ପରେ ପଦକ୍ଷେପ ନିଆଯିବ । ପ୍ରଶ୍ନ ଉଠୁଛି, ଯଦି ଗାଁକୁ ରାସ୍ତା ନଥିଲା ତେବେ ରାଜସ୍ଵ ଗ୍ରାମର ମାନ୍ୟତା ମିଳିଥିଲା କିପରି ? ଯେତେବେଳେ ଆଦର୍ଶ ଗାଁର ମାନ୍ୟତା ମିଳିଛି ସେଠି ମୌଳିକ ସୁବିଧା ଉପଲବ୍ଧ ହେଉନାହିଁ କାହିଁକି ?