ବେଲୁଚଙ୍କୁ ଖୋଲା ସମର୍ଥନ କାହିଁକି ଦେଉନି ଭାରତ, କ’ଣ ରହିଛି ଲକ୍ଷ୍ମଣରେଖା ?
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ବିବାଦ ଭିତରେ ବେଲୁଚିସ୍ତାନ ସ୍ବାଧୀନତା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଭାରତର ଅପରେସନ ସିନ୍ଦୂର ପାକିସ୍ତାନର ସାମରିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏହାରି ଭିତରେ ବେଲୁଚିସ୍ତାନ ଇସଲାମାବାଦରୁ ଅଲଗା ହେବା ନେଇ ଘୋଷଣା କରିଛି । ଆଉ ଭାରତକୁ ନିଜର ଘନିଷ୍ଠ ବନ୍ଧୁ କହିବା ସହ ମାନ୍ୟତା ଦେବାକୁ ଆଶା ବାନ୍ଧି ବସିଛି । ଏହାଦ୍ବାରା ବିଶ୍ବସ୍ତରରେ ତାକୁ ଏକ ସ୍ବତନ୍ତ୍ର ଦେଶର ମାନ୍ୟତା ମିଳିବା ରାସ୍ତା ସହଜ ହୋଇଯିବ । ଶତ୍ରୁର ଶତ୍ରୁ ମିତ୍ର ନୀତିରେ ଏହା ଭାରତ ପାଇଁ ବି କିଛି ଖରାପ ଅଫର ନୁହେଁ । ପାକିସ୍ତାନ ପୁଣି ଥରେ ଭାଗ ହୋଇଗଲେ ଆହୁରି ଦୁର୍ବଳ ହୋଇଯିବ ଓ ଭାରତ ସହ ପଙ୍ଗା ନେବା ପୂର୍ବରୁ ହଜାରେ ଥର ଚିନ୍ତା କରିବ । ହେଲେ ଏହା ଉପରକୁ ଯେତେ ସହଜ ଦେଖାଯାଉଛି, ସେତେ ସହଜ ନୁହେଁ । ଆମେ ବେଲୁଚଙ୍କ ପ୍ରତି ସହାନୁଭୂତି ଦେଖାଇ ପାରିବା । ହେଲେ ଖୋଲା ସମର୍ଥନ ଦେଇ ପାରିବା ନାହିଁ । କାରଣ ଏପରି କରିବା ଦ୍ବାରା ବୈଶ୍ବିକ ସ୍ତରରେ ଭାରତର ଷ୍ଟାଣ୍ଡ ଦୁର୍ବଳ ହୋଇଯିବ ଓ କାଶ୍ମୀର ଓ ବେଲୁଚକୁ ନେଇ ଆମେ ଡବଲ ଷ୍ଟାଣ୍ଡାର୍ଡ ଆପଣାଉଛନ୍ତି ବୋଲି ବି ଧାରଣା ଯିବ ।
ତେବେ ପୂରା ଘଟଣା କ’ଣ ? କାହିଁକି ଭାରତର ବେଲୁଚଙ୍କ ସମର୍ଥନରେ ଖୋଲାଖୋଲି ବାହାରୁ ନାହିଁ ? କ’ଣ ପାକିସ୍ତାନ ଆଉ ଥରେ ଭାଗ ଭାଗ ହେଉ ଭାରତ ଚାହିଁ ନାହିଁ ? କାହିଁକି ଭାରତ ବେଲୁଚକୁ ନେଇ କୌଣସି ଷ୍ଟେଟମେଣ୍ଟ ଦେଉନାହିଁ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି । ବେଲୁଚିସ୍ତାନକୁ ନେଇ ଭାରତ ଷ୍ଟାଣ୍ଡ କ’ଣ ଓ କହିଁକି ଭାରତ ଖୋଲା ସମର୍ଥନ କରୁନି ଜାଣିବା ପୂର୍ବରୁ ପ୍ରଥମେ ବୁଝନ୍ତୁ କାହିଁକି ବେଲୁଚ ପାକିସ୍ତାନଠାରୁ ଅଲଗା ହେବାକୁ ଚାହିଁଛନ୍ତି ?
କାହିଁକି ସ୍ବତନ୍ତ୍ର ଦେଶ ମାଗୁଛନ୍ତି ବେଲୁଚ ?
ବେଲୁଚିସ୍ତାନ । ଏହା ଏମିତି ଏକ ପ୍ରାନ୍ତ ଯାହା କେବେ ବି ପାକିସ୍ତାନର ନିୟନ୍ତ୍ରଣରେ ରହିନି । ଏହାର ଦୁଇଟି କାରଣ ରହିଛି । ପ୍ରଥମଟି ହେଲା ପାକିସ୍ତାନ ଷଡଯନ୍ତ୍ର କରି ଏହାକୁ ନିଜ ଦେଶରେ ମିଶାଇଛି । ଦ୍ବିତୀୟ କାରଣ ହେଲା, ବେଲୁଚିସ୍ତାନ ଲୋକେ ଭାବୁଛନ୍ତି ପାକିସ୍ତାନ ସେମାନଙ୍କ ସହ ସାବତ ପରି ବ୍ୟବହାର କରୁଛି । କହି ରଖିବାକୁ ଚାହୁଁ, ପ୍ରାକୃତିକ ସମ୍ପଦରେ ଭରା ବେଲୁଚିସ୍ତାନକୁ ପାକିସ୍ତାନ କେବେ ଆଗକୁ ନେବାକୁ ଚେଷ୍ଟା କରିନି । ରାଜନୀତିରୁ ଆରମ୍ଭ କରି ଆର୍ଥିକ ସ୍ତରରେ ସବୁବେଳେ ପଛରେ ରଖି ଆସିଛି । ଏପରିକି ଇସଲାମାବାଦ ସେମାନଙ୍କ ପରମ୍ପରା ଓ ପ୍ରଥ ଭାଙ୍ଗିବାକୁ ହିଂସାର ପଥ ଆପଣାଇବାକୁ ବି ପଛାଉ ନାହିଁ । ଏସବୁ କାରଣ ପାଇଁ ବେଲୁଚିସ୍ତାନ ପାକିସ୍ତାନରୁ ଅଲଗା ହେବାକୁ ଚାହିଁଛନ୍ତି । ଏବେ ଆସନ୍ତୁ ଜାଣିବା ବେଲୁଚିସ୍ତାନକୁ କାହିଁକି ଭାରତ ଖୋଲା ସମର୍ଥନ କରୁନି ଓ ଭାରତ ପାଇଁ କ’ଣ ରହିଛି ଲକ୍ଷ୍ମଣରେଖା ।
କାହିଁକି ଭାରତ ଦେଉନି ଖୋଲା ସମର୍ଥନ ?
ବର୍ତ୍ତମାନ ଯାଏଁ ଭାରତର ବେଲୁଚର ସ୍ବାଧୀନତାକୁ ନେଇ କୌଣସି ସରକାରୀ ବୟାନ ଦେଇନାହିଁ । ହେଲେ ବେଲୁଚ ଚାହୁଁଛନ୍ତି, ୧୯୭୧ ଯୁଦ୍ଧରେ ଭାରତ ଯେମିତି ବାଂଲାଦେଶକୁ ସମର୍ଥନ କରିଥିଲା, ସେମିତି ସମର୍ଥନ ସେମାନଙ୍କୁ ବି କରୁ । ଭାରତ ଚାହିଁଲେ ଏପରି କରି ପାରିବ । ହେଲେ ଏମିତି ନ କରିବାର କାରଣ ବହୁତ ବଡ଼ ।
ଯଦି ଭାରତ ବେଲୁଚିସ୍ତାନ ଆନ୍ଦୋଳନକୁ ସମର୍ଥନ କରିବ ତେବେ ଆମେ ପାକିସ୍ତାନର ଆଭ୍ୟନ୍ତରିଣ ବ୍ୟାପାରରେ ହସ୍ତକ୍ଷେପ କରୁଛ ବୋଲି ଅଭିଯୋଗ କରିବ । ଏହା ଆମର କାଶ୍ମୀର ଷ୍ଟାଣ୍ଡକୁ ଦୁର୍ବଳ କରିଦେବ । କାରଣ ଆମେ ସବୁ ବେଳେ କହି ଆସିଛନ୍ତି କାଶ୍ମୀର ଏକ ଆଭ୍ୟନ୍ତରିଣ ସମସ୍ୟା ଓ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଆମେ ସହ୍ୟ କରିବୁ ନାହିଁ । ବେଲୁଚିସ୍ତାନ ସମର୍ଥନରେ ଯଦି ବାହାରିବା ତେବେ ପାକିସ୍ତାନରୁ ଅଲଗା ହେବାକୁ ଚାହିଁଥିବା ଅନ୍ୟ ସଂଗଠନମାନେ ମଧ୍ୟ ଆମ ପାଖରୁ ସମାନ ଆଶା ରଖିବେ । ଏହା ଭାରତର ନୈତିକତାକୁ ଦୁର୍ବଳ କରିଦେବ ।
ଅନ୍ୟପକ୍ଷେ ବାଂଲାଦେଶ ଅଲଗା ହେବା ପରେ ପାକିସ୍ତାନ ଆହୁରି ଆକ୍ରମଣାତ୍ମକ ହୋଇଯାଇଛି । ଭାରତରେ ସବୁ ବେଳେ ଅସ୍ତିରତା ଜାରି ରଖିବାକୁ ଚେଷ୍ଟା କରି ଆସିଛି । ଏହି କାରଣରୁ ପାକିସ୍ତାନ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ଆସିଛି । ଏମିତି ସ୍ଥିତିରେ ନୂଆଦିଲ୍ଲୀ ଯଦି ବେଲୁଚକୁ ମାନ୍ୟତା ଦେବ ତେବେ ପାକିସ୍ତାନ ଆହୁରି ଆକ୍ରମଣାତ୍ମକ ହୋଇଯିବ ।
ବେଲୁଚକୁ ସମର୍ଥନ ଭାରତ ପାଇଁ ବହୁତ ଭାରି ପଡ଼ିପାରେ । ଅନ୍ତରାଷ୍ଟ୍ରୀୟ ଆଇନରେ ଦେଶମାନଙ୍କ ଅଖଣ୍ଡତା ଉପରେ ଗୁରୁତ୍ବ ଦିଆଯାଇଥାଏ । ଯଦି ଆମେ ଉଗ୍ରବାଦୀ ଆନ୍ଦୋଳନକୁ ସମର୍ଥନ କରିବା ତେବେ ଚୀନ ପରି ଦେଶ ଏଠାରେ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରିପାରନ୍ତି । ଏମିତିରେ ବି ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ଆସୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତ ସିଧା ସିଧା ବେଲୁଚିସ୍ତାନ ଆନ୍ଦୋଳନକୁ ସମର୍ଥନ କରୁ ନଥିଲେ ବି ଏହି ପ୍ରସଙ୍ଗକୁ ମାନବାଧିକାରର ହତ୍ୟା କହି ଉଠାଉଛି । ଏହାକୁ ଆପଣ କୂଟନୈତିକ ଚାଲାକି ବି କହି ପାରନ୍ତି ।