ବିଜେଡି ପିଏସି ବୈଠକରେ ଅପରେସନ ସିନ୍ଦୂରକୁ ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ପ୍ରଥମ ରାଜନୈତିକ ବ୍ୟାପାର କମିଟି ବୈଠକ ହୋଇଯାଇଛି । ଯେଉଁଥିରେ ଜାତୀୟ ସୁରକ୍ଷା, ରାଜ୍ୟ ରାଜନୈତିକ ପରିସ୍ଥିତି, ଓଡିଶାର ଶିଳ୍ପ ବିକାଶ ଓ ବିଜେଡିର ସାଙ୍ଗଠନିକ ବ୍ୟାପାର ସମ୍ପର୍କରେ ପ୍ରସ୍ତାବ ଗୃହୀତ ହୋଇଛି । ଅପରେସନ ସିନ୍ଦୂରର ସଫଳତାକୁ ବୈଠକରେ ପ୍ରଶଂସା କରାଯାଇଛି ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପିଏସି ସଦସ୍ୟ ନିରଞ୍ଜନ ପୂଜାରୀ କହିଛନ୍ତି, ଦଳ ସବୁ ସମୟରେ ଭାରତୀୟ ସେନା ଓ ଅନ୍ୟ ଏଜେନ୍ସି ସହିତ ଅଛି । ଭାରତୀୟ ସେନା ପାଇଁ ବିଜେଡି ଗର୍ବିତ । ଏହି ଅବସରରେ ପହଲଗାଓଁରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ବ୍ୟକ୍ତିମାନଙ୍କ ଅମରଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଜୁ ଜନତା ଦଳ ଭାରତୀୟ ସେନା ପାଇଁ ଗର୍ବିତ ବୋଲି କହିଛନ୍ତି ନିରଞ୍ଜନ ।

ସେହିପରି ନବୀନ ପଟ୍ଟନାୟକଙ୍କୁ ଶିଳ୍ପ ବିପ୍ଳବ ପାଇଁ ଧନ୍ୟବାଦ ଜଣାଇଛି ପିଏସି । ନବୀନ ସରକାର ସମୟରେ ଶିଳ୍ପ ଓ ଅର୍ଥନୈତିକ ବିକାଶ ହୋଇଥିଲା । ଆଇସିଆରଏ ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୨୪ ଭିତରେ ଓଡିଶା ଜିଏସଭିଏରେ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଏଥିପାଇଁ ନବୀନଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରାଯିବା ସହିତ ପିଏସି ଧନ୍ୟବାଦ ଦେଇଛି ।  ଏହାସହ ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିରେ ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା ।

ବିକାଶ କ୍ଷେତ୍ରରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥାଣୁତା ଦୂର କରି ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ରାଜ୍ୟ ସରକାର ଯତ୍ନବାନ ହେବେ ବୋଲି ବୈଠକରେ ଆଶା କରାଯାଇଛି । ବିଜ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ଓ ସାଙ୍ଗଠନିକ ପୁନର୍ବିନ୍ୟାସ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଦଳର ଅନ୍ୟ ପଦବୀ ପୂରଣ ଦିଗରେ ଦଳର ସଭାପତିଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି ପିଏସି ।