IIM ସମ୍ବଲପୁରରେ ଆରମ୍ଭ ହେଲା ଦୁଇଟି ନୂଆ ପିଜି କୋର୍ସ, ଜାଣନ୍ତୁ କେମିତି କରିବେ ଆବେଦନ
1 min read
ନନ୍ଦିଘୋଷ ବ୍ୟୁରୋ: ଆଇଆଇଏମ ସମ୍ବଲପୁରରେ ପିଜି କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ୨୦୨୫ ଶିକ୍ଷା ବର୍ଷରେ ଆରମ୍ଭ ହେବାକୁ ଯାଉଛି ଦୁଇଟି ନୂଆ ପିଜି କୋର୍ସ । ଜାତୀୟ ଶିକ୍ଷାନୀତି ୨୦୨୦ ସୁପାରିସ ଅନୁସାରେ ଆଇଆଇଏମ ସମ୍ବଲପୁରରେ ଦୁଇଟି ୪ ବର୍ଷିୟା ପିଜି କୋର୍ସ ଆରମ୍ଭ ହେବାକୁ ଯାଉଛି । ଗୋଟିଏ କୋର୍ସ ବିଏସସି ଡାଟା ସାଇନ୍ସ ଆଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (Data Science and Artificial Intelligence) ହୋଇଥିବା ବେଳେ ଅନ୍ୟଟି ବିଏସସି ମ୍ୟାନେଜମେଣ୍ଟ ଆଣ୍ଡ ପବ୍ଲିକ ପଲିସି (Management and Public Policy) ।
ଏକାଧିକ ଆଇଆଇଟିରେ ମଧ୍ୟ ଡାଟା ସାଇନ୍ସ କୋର୍ସ ଅଛି । ଏବେ ଆଇଆଇଏମରେ ବି ଏମିତି ପାଠ୍ୟକ୍ରମ ଆରମ୍ଭ ହେଉଛି । ଏହା ଆରମ୍ଭ ହେବା ପରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପସନ୍ଦର ପାଠ୍ୟକ୍ରମ ବାଛିବାକୁ ବିକଳ୍ପ ମିଳିବ । ଏହାସହ ସେମାନଙ୍କୁ ଆଇଆଇଏମ ପରି ସଂସ୍ଥାରେ ପାଠ ପଢ଼ିବାର ସୁଯୋଗ ବି ମିଳିବ । ତେବେ ଆସନ୍ତୁ ଜାଣିବା ଆଇଆଇଏମ ସମ୍ବଲପୁରରେ ଏହି ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ କେମିତି ଆବେଦନ କରିବେ ।
ଏହି ଆଧାରରେ ମିଳିବ ଆଡମିଶନ
ଆଇଆଇଏମ ସମ୍ବଲପୁରର ଡାଇରେକ୍ଟର ପ୍ରଫେସର ମହାଦେବ ଜୟଶଓ୍ବାଲ କହିଛନ୍ତି, ଡାଟା ସାଇନ୍ସ ଆଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିରେ ନାମଲେଖା ଜେଇଇ ମେନର ରାଙ୍କ ଅନୁସାରେ କରାଯିବ । ସେହିପରି ମ୍ୟାନେଜମେଣ୍ଟ ଆଣ୍ଡ ପବ୍ଲିକ ପଲିସିରେ ନାମଲେଖା ସିୟୁଇଟି ୟୁଜି ସ୍କୋର ଆଧାରରେ କରାଯିବ । ଏବେ ସିୟୁଇଟି ୟୁଜି ପରୀକ୍ଷା ଚାଲିଛି । ଏଥିରେ ବି ମଲ୍ଟିପଲ ଏଣ୍ଟ୍ରି ଓ ଏକଜିଟର ପ୍ରାବଧାନ ରଖାଯାଇଛି । ଗୋଟିଏ ବର୍ଷ ପରେ କୌଣସି ଛାତ୍ର ଗଲେ ତାଙ୍କୁ ସିର୍ଟିଫିକେଟ ମିଳିଯିବ । ଦୁଇବର୍ଷ ପରେ ଡିପ୍ଲୋମା ମିଳିଯିବ । ସେହିପରି ତିନି ବର୍ଷରେ କୋର୍ସ ମଝିରେ ଛାଡ଼ି ଦେଲେ ଡିଗ୍ରୀ ମିଳିବ । ସେହିପରି ୪ ବର୍ଷ ପୂରଣ କଲେ ଅନର୍ସ ଓ ଡିଗ୍ରୀ ମିଳିବ ।
କେମିତି ପାଇବେ ସୁଯୋଗ ?
ଇଣ୍ଡଷ୍ଟ୍ରି ଏକ୍ସପର୍ଟସଙ୍କ ସହାୟତାରେ ଡିଜାଇନ କରାଯାଇଥିବା ଏହି ପାଠ୍ୟକ୍ରମ ନେଲେ ଛାତ୍ରଛାତ୍ରୀଙ୍କ ପାଖରେ ଭଲ ରୋଜଗାର ସହ ନିଜର ଷ୍ଟ୍ରାଟଅପ୍ ଆରମ୍ଭ କରିବାର ସୁଯୋଗ ରହିବ । ୨୦୨୫-୨୬ ଶିକ୍ଷାବର୍ଷରେ ପାଠପଢ଼ା ହେବ । ଏଥିପାଇଁ ୨୦୨୫ ଜୁନରୁ ନାମଲେଖା ଆରମ୍ଭ ହେବ । ପ୍ରଥମ ବ୍ୟାଚଙ୍କ ପାଠପଢ଼ା ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ।