କୋଭିଡ ରିଟର୍ଣ୍ଣସ! ପୁଣି ଏସିଆରେ ଘୋଟିପାରେ କୋଭିଡ ବିପଦ

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ଏସିଆରେ ଘୋଟିପାରେ କୋଭିଡ ବିପଦ। ହଂକଂ ଓ ସିଙ୍ଗାପୁରରେ କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାବେଳେ ଏହି ଆଶଙ୍କା ଘନୀଭୂତ ହୋଇଛି। ହଂକଂ ଓ ସିଙ୍ଗାପୁରରେ ବର୍ତ୍ତମାନ ବହୁ ସଂଖ୍ୟକ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏହା ସହ ସଂକ୍ରମଣ ସ୍ଥିତି ମଧ୍ୟ ବିଗିଡିବାରେ ଲାଗିଛି। ହଂକଂର ସ୍ବାସ୍ଥ୍ୟ ସୁରକ୍ଷା କେନ୍ଦ୍ର ମୁଖ୍ୟ ଆଲବର୍ଟ ଆଉ କହିଛନ୍ତି ବର୍ତ୍ତମାନ ହଂକଂରେ ଭାଇରସ ଉତ୍ପାତ ବଢିବାରେ ଲାଗିଛି। ପ୍ରତି ସପ୍ତାହରେ ୩୧ ଜଣ ଲୋକ ସଂକ୍ରମିତ ହୋଇଥିବା ପରିଲକ୍ଷିତ ହୋଇଛି। ଏହା ସହ ମୃତ୍ୟୁ ସଂଖ୍ଯା ବି ବଢିବାରେ ଲାଗିଛି।

ବିଶେଷ କରି ମେ ୩ରୁ ସଂକ୍ରମଣ ଅଧିକ ବଢିବାରେ ଲାଗିଛି। କିଛି ଦିନ ଧରି ହଂକଂରେ ସଂକ୍ରମଣ ବଢିବା ଯୋଗୁ ସବୁସ୍ତରରେ ଚିନ୍ତା ପ୍ରକଟ କରାଯାଇଛି। ସେପଟେ ସିଙ୍ଗାପୁରରେ ବି ସଂକ୍ରମଣ ବଢିବାରେ ଲାଗିଛି। ସପ୍ତାହରେ କୋଭିଡ ସଂକ୍ରମଣ ୨୮ ପ୍ରତିଶତ ବେଗରେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ସିଙ୍ଗାପୁରରେ ୧୪ ହଜାର ୨୦୦ ଲୋକ କୋଭିଡରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ଯା ବି ବଢିଛି ୩୦ ପ୍ରତିଶତ। ଥାଇଲାଣ୍ଡରେ କୋଭିଡ ବିପଦ ଘନୀଭୂତ ହୋଇଛି।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ସେମାନେ କୌଣସି କେଶ ରିପୋର୍ଟ କରିନାହାନ୍ତି । ତେବେ କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । ଆଲର୍ଟ ରହିବାକୁ କୁହାଯାଇଛି । କାରଣ ସିଙ୍ଗାପୁର, ଥାଇଲାଣ୍ଡ ଓ ହଙ୍ଗକଂଗରେ କେଶ ବଢ଼ିବା ସହ ମୃତ୍ୟୁ ଖବର ବି ଆସିଛି ।ଏହା ନୂଆ ଭାରିଆଣ୍ଟ ନ ହୋଇଥିଲେ ବି ଶରୀରରୁ ପ୍ରତିଷେଧକ ବା ଆଣ୍ଟି ବଡ଼ି କମିବାରୁ ଏହି ସଂକ୍ରମଣ ହୋଇଥିବା କୁହାଯାଉଛି । ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ମେଡିକାଲ କଲେଜରେ ଟେଷ୍ଟିଂ ଚାଲିଛି । ବହୁ ଦିନରୁ ପଜିଟିଭ କେଶ କିଛି ଆସିନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ସେପଟେ ଯେଉଁସବୁ ଏସିଆ ଦେଶରେ କୋଭିଡ ଦେଖା ଦେଇଛି, ସେମାନେ WHO କୁ ରିପୋର୍ଟ କରି ନାହାନ୍ତି। କୋଭିଡ ପରେ ବି ଏହାର ପ୍ରଭାବ ବହୁତ ଦିନ ଧରି ରୁହେ। ହେଲେ ଏ ନୂଆ ଭୂତାଣୁ ନେଇ ବର୍ତମାନ କିଛି କହି ହେବ ନାହିଁ ବୋଲି WHO କର୍ତ୍ତୃପକ୍ଷ କହିଛନ୍ତି।