ଆସୁଛି ଓଡ଼ିଶାର ସବୁଠୁ ବ୍ୟୟବହୁଳ ସିନେମା ‘ଲ୍ୟାଣ୍ଡଫଲ୍’

ଭୁବନେଶ୍ୱର : କେମିତି ଥିଲା ମହାବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ କିଭଳି ରଚିଥିଲା ତାଣ୍ଡବ । ଘୁର୍ଣ୍ଣିଝଡର କରାଳରୂପରେ କିଭଳି ଛାରଖାର ହୋଇଯାଇଥିଲା ଓଡ଼ିଶା । ଏହିସବୁ ଦୃଶ୍ୟ ‘ ଲ୍ୟାଣ୍ଡଫଲ୍ ‘ ଫିଲ୍ମ ମାଧ୍ୟମରେ ବଡ଼ ପରଦାରେ ଦେଖିବେ ଦର୍ଶକ। ଫିଲ୍ମ ଟି ଫୁଲ ଆନିମେଟେଡ୍ । କୁଜଙ୍ଗର ତତ୍କାଳୀନ ତହସିଲଦାର ସୁରଜିତ ଦାସ, ଅତିରିକ୍ତ ତହସିଲଦାର ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଫିଲ୍ମର ଟାଇଟଲ, ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରିଥିଲେ । ଡିଜି ଅଗ୍ନିଶମ ବିଭାଗ ସୁଧାଂଶୁ ଷଡ଼ଙ୍ଗୀ ନିଜର ଶୁଭେଚ୍ଛା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ଅଗ୍ନିଶମ ବିଭାଗର ତତ୍ପରତା ସମ୍ପର୍କରେ ଅଭିଜ୍ଞତା ରଖିଥିଲେ। ବଳିଷ୍ଠ ଓ ମୌଳିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଲୋକପ୍ରିୟ ତାରକା ସବ୍ୟସାଚୀ ମିଶ୍ରଙ୍କୁ ଦେଖିବାକୁ ପାଇବେ ଦର୍ଶକ । ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ଦିବ୍ୟାସ୍ନାତା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ।
ଓଡ଼ିଶା ଚଳଚିତ୍ରରେ ଏଭଳି ଆନିମେସନ୍ ବ୍ୟବହାର ପ୍ରଥମ । ଓଡ଼ିଆ ସହ ହିନ୍ଦିରେ ମଧ୍ୟ ଫିଲ୍ମ ଡଭିଙ୍ଗ ହେବା ସୂଚନା ଦେଇଛନ୍ତି ପ୍ରଯୋଜକ । ପୂର୍ବରୁ ଦମନ’ ଭଳି ଏକ ସଫଳ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ଵିଶାଲ ମୌର୍ଯ୍ୟ । ସୁପରଷ୍ଟାର ସବ୍ୟସାଚୀଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଘୋଷଣା ପରେ ଏହାକୁ ନେଇ ଏବେଠେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯୁବପିଢିଙ୍କ ଏବେ ପସନ୍ଦ ସାଜିଛି ଆନିମେଟେଡ଼ ମିକ୍ସ ସିନେମା । ଫଳରେ ଧୀରେ ଧୀରେ ସିନେମାର ଟ୍ରେଣ୍ଡ ମଧ୍ୟ ବଦଳୁଛି । ତେବେ ଏହି ଅନିମେଟଡ୍ ଫିଲ୍ମ ନିଶ୍ଚୟ ଓଡ଼ିଆ ସିନେମାକୁ ଗୋଟେ ନୂଆ ଦିଗ ଦେବ ବୋଲି ଆଶା ରଖାଯାଇଛି ।