ପାକିସ୍ତାନର ବଡ ଦାବି ; ୩ଟି ବାୟୁସେନା ଘାଟିକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ଭାରତ
1 min read
ନନ୍ଦିଘୋଷ ବ୍ୟୁରୋ: ସୁଧୁରୁନି ପାକିସ୍ତାନ । ଏଲଓସିରେ ବାରମ୍ବାର କରିଚାଲିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ । ପାକିସ୍ତାନ ଭାରତର ସୀମାନ୍ତ ରାଜ୍ୟଗୁଡ଼ିକର ପ୍ରାୟ ୨୬ଟି ସ୍ଥାନରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ସେନା ଏହାକୁ ପଣ୍ଡ କରିଦେଇଛନ୍ତି । ତେବେ ଏହି ସମୟରେ, ପାକିସ୍ତାନ ଏକ ବଡ ଦାବି କରିଛି ଯେ ଭାରତ ରାୱଲପିଣ୍ଡି ସହିତ ତିନୋଟି ବାୟୁସେନା ଘାଟି ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । ପାକିସ୍ତାନ ସେନା ମୁଖପାତ୍ର କହିଛନ୍ତି ଯେ ଭାରତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ତିନୋଟି ବାୟୁସେନା ଘାଟିକୁ ଟାର୍ଗେଟ କରିଛି। ଗତକାଲି ବିଳମ୍ବିତ ରାତିରେ ଭାରତ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ରାୱଲପିଣ୍ଡିର ନୁର ଖାନ ବାୟୁସେନା ଘାଟି, ଶୋରକୋଟର ରଫିକି ବାୟୁସେନା ଘାଟି ଏବଂ ମୁରିଦ ବାୟୁସେନା ଘାଟିକୁ ଟାର୍ଗେଟ କରାଯାଇଥିଲା। ତଥାପି, ଭାରତ ପକ୍ଷରୁ ଏପର୍ଯ୍ୟନ୍ତ ଏହାକୁ ସ୍ପଷ୍ଟ କରାଯାଇ ନାହିଁ।
ପାକିସ୍ତାନ ଏୟାରବେସକୁ ଭାରତର ଟାର୍ଗେଟ- ପାକ୍
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ରାୱଲପିଣ୍ଡି ନିକଟରେ ତିନୋଟି ହୋଇଥିଲା । ଏହା ବ୍ୟତୀତ ରାୱଲପିଣ୍ଡିର ନୁର ଖାନ ଏୟାରବେସ ନିକଟରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ରାୱଲପିଣ୍ଡିରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ଏତେ ଭୟାନକ ଥିଲା ଯେ, ଏହାର ଶବ୍ଦ ଇସଲାମାବାଦରେ ମଧ୍ୟ ଶୁଣାଯାଇଥିଲା । ପାକିସ୍ତାନୀ ସେନା ଦାବି କରିଛନ୍ତି ଯେ ଭାରତ ଏହାର ତିନୋଟି ବାୟୁସେନା ଘାଟିକୁ କ୍ଷେପଣାସ୍ତ୍ର ଦ୍ୱାରା ଟାର୍ଗେଟ କରିଛି। ଅନ୍ୟପକ୍ଷରେ, ତିନି ଦିନ ଧରି ଚାଲିଥିବା ଡ୍ରୋନ୍ ଆକ୍ରମଣ ମଧ୍ୟରେ ପାକିସ୍ତାନ ଆଜି ନିଜର ବାୟୁସେନା ଘାଟିଗୁଡ଼ିକୁ ବେସାମରିକ ବିମାନ ଚଳାଚଳ ପାଇଁ ବନ୍ଦ କରିଦେଇଛି। ଶୁକ୍ରବାର ଦିନ ପୂର୍ବରୁ ଭାରତୀୟ ସେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ସୀମା ନିକଟରେ ଚାଲିଥିବା ଉତ୍ତେଜନା ଏବଂ ନିରନ୍ତର ଆକ୍ରମଣ ମଧ୍ୟରେ ପାକିସ୍ତାନ ତା’ର ବାୟୁସେନା ଘାଟିଗୁଡ଼ିକୁ ଉଡ଼ାଣ ପାଇଁ ବ୍ୟବହାର କରିଆସୁଛି ।
ଭାରତରେ ୩୦ଟି ସ୍ଥାନରେ ଆକ୍ରମଣ ବିଫଳ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରେ ଲିପ୍ତ ରହିଛି। ଏହି ସମୟରେ, ଲଗାତାର ତୃତୀୟ ଦିନ ପାଇଁ ପାକିସ୍ତାନ ଦ୍ୱାରା ଭାରତ ବିରୁଦ୍ଧରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ତଥାପି, ଭାରତୀୟ ସେନା ସମସ୍ତ ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି। ସେହି ସମୟରେ, ପଞ୍ଜାବର ଫିରୋଜପୁରର ଖୋଇ ଗାଁ ନିକଟରେ ଏକ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା। ଯାହା ପରେ ଜଳୁଥିବା ଡ୍ରୋନଟି ଏକ ଘର ଉପରେ ପଡ଼ିଥିଲା, ଯେଉଁଥିରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆହତ ହୋଇଥିଲେ । ପାକିସ୍ତାନ ଡ୍ରୋନ୍ ସାହାଯ୍ୟରେ ପଞ୍ଜାବର ଜଳନ୍ଧର, ରାଜସ୍ଥାନର ସୀମାନ୍ତ ଅଞ୍ଚଳ ଏବଂ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଆକ୍ରମଣ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା। ତଥାପି, ଭାରତର ପ୍ରତିରକ୍ଷା ବ୍ୟବସ୍ଥା ସମସ୍ତ ଆକ୍ରମଣକୁ ବିଫଳ କରିଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଉପଯୁକ୍ତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାତିରେ ସୀମାନ୍ତ ରାଜ୍ୟଗୁଡ଼ିକର ଅନେକ ସ୍ଥାନରେ ସାଇରନ ଏବଂ ବ୍ଲାକଆଉଟ୍ ମଧ୍ୟ କରାଯାଇଥିଲା।