ଦୀଘାରୁ ହଟିଲା ‘ଜଗନ୍ନାଥ ଧାମ’ ନାମ

ନନ୍ଦିଘୋଷ ବ୍ୟୁରୋ: ବିବାଦ ବଢ଼ିବା ପରେ ଦୀଘାରୁ ହଟିଲା ‘ଜଗନ୍ନାଥ ଧାମ’ ନାମ । ନାମକରଣ ବୋର୍ଡରେ ଯେଉଁ ଜଗନ୍ନାଥ ଧାମ ଲେଖାଯାଇଥିଲା, ତାକୁ ହଟାଇ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସମେତ ଓଡ଼ିଶା ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଦୀଘାରୁ ହଟାଇ ଦିଆଯାଇଛି ଜଗନ୍ନାଥ ଧାମ ନାମ । ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ।
ଦୀଘା ଜଗନ୍ନାଥ ମନ୍ଦିର ନାମକୁ ନେଇ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । କହିଲେ, ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ଦୀଘାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବା ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ନାମିତ କରାଯାଇଥିଲା । ଏ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତାମତ ନିଆଯାଇଥିଲା । ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ, ପୁରୁଷୋତ୍ତମ କ୍ଷେତ୍ର ବା ଶ୍ରୀକ୍ଷେତ୍ର ବା ନୀଳାଚଳ ଧାମ କୁହାଯାଇପାରିବ ନାହିଁ ।