ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲଙ୍କ ସପକ୍ଷରେ ସାକ୍ଷୀ ପ୍ରଦାନ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଜିତେନ୍ ପଟେଲ ନାମକ ଜଣେ ବ୍ୟକ୍ତି କୋର୍ଟରେ ହାଜର ହୋଇ ପୁଞ୍ଜିଲାଲ ସପକ୍ଷରେ ସାକ୍ଷୀ ପ୍ରଦାନ କରିଛନ୍ତି । ଆସନ୍ତା ୫ ତାରିଖରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଶେଷ ନେଇ କ୍ଲୋଜ଼ର ନୋଟିସ ପ୍ରକାଶ ପାଇଛି । ଆସନ୍ତା ୯ ତାରିଖରେ ପ୍ରତିପକ୍ଷ ଓକିଲ ନିଜ ପକ୍ଷ ରଖିବେ । ଦୁଇରୁ ତିନି ଦିନ ଧରି ପକ୍ଷ ଶୁଣିବା ପରେ ଚଳିତମାସ ଶେଷ ସୁଦ୍ଧା ପାଟଣାଗଡ଼ ଏଡିଜେ ମାମଲାର ରାୟ ପ୍ରକାଶ କରିବେ ବୋଲି ପୁଞ୍ଜିଲାଲର ଓକିଲ ସୂଚନା ଦେଇଛନ୍ତି ।
ଆସନ୍ତା ୬ ତାରିଖରେ କିଛି ସରକାରୀ ଦସ୍ତାବିଜ୍ କୋର୍ଟରେ ଦାଖଲ କରାଯିବ ବୋଲି ପୁଞ୍ଜିଲାଲର ଓକିଲ କହିଛନ୍ତି । ଆସନ୍ତା ଜୁନ ୧୭ ସୁଦ୍ଧା ମାମଲର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ରାୟ ପ୍ରକାଶ ପାଇପାରେ । ପାର୍ସଲ ବୋମା ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ କର୍ମକ୍ଷେତ୍ରରେ ମଧ୍ୟ କାହା ସହ ତାଙ୍କର ଶତ୍ରୁତା ନଥିଲା ବୋଲି ବିଚାରପତିଙ୍କୁ କହିଥିଲେ ପୁଞ୍ଜିଲାଲ । ଜାଣିଶୁଣି ତାଙ୍କୁ ଏଥିରେ ଫସା ଯାଇଥିବା ସେ କହିଛନ୍ତି । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲ ପକ୍ଷରୁ ସମସ୍ତ ସାକ୍ଷ୍ୟ ପ୍ରଦାନ ସରିଛି । ପୁଞ୍ଜିଲାଲଙ୍କ ଓକିଲ ପକ୍ଷ ରଖିବା ପରେ ଖୁବଶୀଘ୍ର ରାୟ ପ୍ରକାଶ ପାଇବ ।
ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ର ସଂଯୁକ୍ତା ସାହୁ ଏବଂ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରକୁ ଉପହାରରେ ପାର୍ସଲ ବୋମା ଆସିଥିଲା । ଉପହାର ଖୋଲିବା ବେଳେ ବୋମା ବିସ୍ଫୋରଣ ଘଟିଥିଲା । ନବ ବିବାହିତ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ନବ ବିବାହିତା ରିମାରାଣୀ ସାହୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ପୁଞ୍ଜିଲାଲକୁ ପାଟଣାଗଡ଼ରୁ ଗିରଫ କରିଥିଲା ।