ନିଜ ଲୋକଙ୍କୁ ନିଜ ଦେଶକୁ ନେଉନି ପାକିସ୍ତାନ, ବନ୍ଦ କଲା ଓ୍ବାଘା ବର୍ଡର

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତ ସରକାର ମେ’ ୧ରୁ ଅଟ୍ଟାରୀ ବର୍ଡର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ସାଧାରଣ ନାଗରିକଙ୍କ ପାଇଁ ସୀମା ଖୋଲା ରହିଛି । ଏହା ମାନେ ଏବେ ଭାରତରେ ଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଯାଇ ପାରିବେ । କିନ୍ତୁ ପାକିସ୍ତାନ ନିଜ ପଟୁ ସୀମା ବନ୍ଦ କରିଦେଇଛି । ସେ ନିଜ ଦେଶର ନାଗରିକଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ । ଆଜି ସକାଳୁ ଜଣେ ବି ନାଗରିକ ସେପଟକୁ ଯାଇ ନାହାନ୍ତି ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏ ପର୍ଯ୍ୟନ୍ତ ୯୨୯ ଜଣ ନାଗରିକ ପାକିସ୍ତାନକୁ ଯାଇଛନ୍ତି । ୨୪ ଏପ୍ରିଲରେ ୨୮ ଜଣ, ୨୫ ଏପ୍ରିଲରେ ୧୯୧ ଜଣ, ୨୬ ଏପ୍ରିଲରେ ୮୧ ଜଣ, ୨୭ ଏପ୍ରିଲରେ ୨୩୭ ଜଣ , ୨୮ ଏପ୍ରିଲରେ ୧୪୫ ଜଣ ନାଗରିକ , ୨୯ ଏପ୍ରିଲରେ ୧୦୪ ଜଣ ଏବଂ ୩୦ ଏପ୍ରିଲରେ ୧୪୦ ଜଣ ପାକିସ୍ତାନୀ ନାଜରିକ ଅଟ୍ଟରୀ ସୀମା ଦେଇ ପାକିସ୍ତାନ ଯାଇଛନ୍ତି ।
ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନରେ ଭୟର ବାତାବରଣ ରହିଛି । ପାକିସ୍ତାନର ପ୍ରଧାନନ୍ତ୍ରୀଙ୍କଠୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଆମେରିକା ଏବଂ ଜାତିସଂଘ ନିକଟରେ ନିବେଦନ କରୁଛନ୍ତି ।
ଏହା ସହ ଏୟାରଲାଇନ୍ସ ପାଇଁ ମଧ୍ୟ ଭାରତ ତା’ର ଆକାଶମାର୍ଗ ବନ୍ଦ କରି ଦେଇଛି । ପାକିସ୍ତାନୀ ଏୟାରଲାଇନ୍ସ ସିଙ୍ଗାପୁର, ମାଲେସିଆ ଏବଂ ଅନ୍ୟାନ୍ୟ ପୂର୍ବ ଏସୀୟ ଦେଶଗୁଡ଼ିକୁ ଉଡାଣ ପାଇଁ ଭାରତୀୟ ଆକାଶପଥ ବ୍ୟବହାର କରିଥାନ୍ତି ।