ଦୁଃଖ ଦେଲା କାଳବୈଶାଖୀ: କୋଲକାତାରେ ପାଗ ଖରାପ ଯୋଗୁଁ ଭୁବନେଶ୍ବରରେ ୮ ବିମାନର ଜରୁରୀ ଅବତରଣ

ଭୁବନେଶ୍ବର: ଦୁଃଖ ଦେଲା କାଳବୈଶାଖୀ ବର୍ଷା । ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ୮ ଫ୍ଲାଇଟ । ୧୫ ଘଣ୍ଟା ଧରି ଅଟକିଲେ ୩ଶହ ଯାତ୍ରୀ । ପରୀକ୍ଷା ଦେଇନପାରି କାନ୍ଦିଲେ ଛାତ୍ରୀ । କୋଲକାତାରେ ମଧ୍ୟ ରାତ୍ରରେ ମାଡି ଆସିଲା କାଳବୈଶାଖୀ ଝଡ । ପାଗ ଖରାପ ହେବାରୁ ୮ଟି ଫ୍ଲାଇଟ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ପାଗ ପରିବର୍ତ୍ତନ ହେବା ପରେ ବିମାନ ଚଳାଚଳ ଆରମ୍ଭ ହୋଇଥିବାବେଳେ ସ୍ପାଇସଜେଟର ଦୁଇଟି ବିମାନ ଅଟକି ରହିଥିଲା । ୧୫ ଘଣ୍ଟା ବିମାନ ବନ୍ଦରରେ ଅଟକି ରହିବା ଫଳରେ ଅସନ୍ତୋଷ ଝାଡ଼ିଥିଲେ ଯାତ୍ରୀ । କୋଲକାତାରେ ବାୟୋ ମେଟ୍ରିକ ପରୀକ୍ଷା ଦେଇ ନପାରି ବିମାନ କର୍ତ୍ତୃପକ୍ଷଙ୍କୁ ଦୋଷ ଦେବା ସହ କାନ୍ଦିକାନ୍ଦି ଅଭିଯୋଗ କରିଛନ୍ତି ଛାତ୍ରୀ । ପରୀକ୍ଷା ଓ ବିମାନ ବାବଦରେ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ସେ ଏଗଜାମ ଦେବାରୁ ବଞ୍ଚିତ ହୋଇଥିବା କହିଛନ୍ତି । ଶନିବାର ରାତି ୧୨ ଟା ପରେ ଦିଲ୍ଲୀରୁ ୩ଟି, ଜୟପୁର, ଲକ୍ଷ୍ନୌ, ଚେନାଇ, ଶ୍ରୀନଗର, ଗୌହାଟିରୁ କୋଲକାତା ଅଭିମୁଖେ ଆସୁଥିଲା ଫ୍ଲାଇଟ । ପାଣିପାଗରେ ସୁଧାର ଆସିବା ପରେ ୬ଟି ଫ୍ଲାଇଟ ଉଡ଼ାଣ ଭରିଛି ।

ସେପଟେ ବିମାନବନ୍ଦର ନିର୍ଦ୍ଦେଶକଙ୍କ କହିବା କଥା, କାଳବୈଶାଖୀ ପାଇଁ ଇଣ୍ଡିଗୋ, ସ୍ପାଇସ ଜେଟ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଟି ଫ୍ଲାଇଟ ଜରୁରୀ ଅବତରଣ କରିଥିଲା । ୬ଟି ବିମାନ ଯାତ୍ରା କରିଥିବାବେଳେ ସ୍ପାଇସଜେଟର ଦୁଇଟି ଅଟକି ରହିଥିଲା । ସ୍ପାଇସ ଜେଟର ବେସ୍ ଏଠି ନାହିଁ । କମ୍ପାନିର କର୍ମଚାରୀ ଏଠି ଅପରେଟ କରନ୍ତି । ଫ୍ଲାଇଟ ଚେକ ଓ ଅନ୍ୟାନ୍ୟ ଟେକ୍ନିକାଲ କାମ କରିବା ପାଇଁ କମ୍ପାନିର କର୍ମଚାରୀ ନାହାନ୍ତି । ତେଣୁ ବିମାନ ବନ୍ଦର ପକ୍ଷରୁ ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କିଛି ଯାତ୍ରୀ ହୋଟେଲ ଯାଇଥିବାବେଳେ କିଛି ଟର୍ମିନାଲରେ ଅଟକି ରହିଥିଲେ । ତେଣୁ ଅସନ୍ତୋଷ ଦେଖାଦେବା ସ୍ବାଭାବିକ । ଆଜି ସକାଳୁ ସ୍ପାଇସ ଜେଟର ଷ୍ଟାଫ, ଇଞ୍ଜିନିୟର ଆସି ଯାଞ୍ଚ କରିବା ପରେ କୋଲକାତା ଅଭିମୁଖେ ଉଡ଼ାଣ ଭରିଛି ବିମାନ ।