ରଥଯାତ୍ରା ପୂର୍ବରୁ ସରିବନି ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ୨୯ ଏପ୍ରିଲରୁ ଜୁନ ୨୭ ଯାଏଁ କାମ ବନ୍ଦ

1 min read

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ୨୯ ଏପ୍ରିଲରୁ ଜୁନ ୨୭ ତାରିଖ ପର୍ଯ୍ୟନ୍ତ ବିଶେଷ ନୀତି ଥିବା କାରଣରୁ ମରାମତି କାର୍ଯ୍ୟ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରଥଯାତ୍ରା ପରଦିନ ଠାରୁ ଭିତର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭଣ୍ଡାର ଗୃହରେ ୯ଟି ବିମ ସ୍ଥାପନ କରାଯାଇଥିବେଳେ ଆଉ ୫ଟି ବିମ ଲଗାଯିବାକୁ ରହିଛି । ସେପଟେ କାମ ସନ୍ତୋଷ ଜନକ ଥିବା କହିଛନ୍ତି ସେବାୟତ ।

ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାହାର ଓ ଭିତର ଚନ୍ଦନ ଯାତ୍ରା, ସ୍ନାନଯାତ୍ରା ଓ ଅନବସର ନୀତି ଯୋଗୁଁ ୨୯ ତାରିଖରୁ ଜୁନ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି  କାମ । ଜୁନ ୨୮ରୁ ପୁନଃ ମରାମତି କରାଯାଇ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଭଣ୍ଡାର ଘର ଭିତର ଓ ବାହାରେ ପ୍ରାୟ ୨୭୭ ଖଣ୍ଡ ପଥର ଲଗାଯାଇଛି । ୯ଟି ବକ୍ସ ବିମ ମଧ୍ୟ ସ୍ଥାପନ କରାଯାଇଛି l ବାକିଥିବା ଆଉ ୫ଟି ବିମ ମଧ୍ୟ ଲଗାଯିବ । ଲେଜର ସ୍କାନିଂ ରିପୋର୍ଟ ଅନୁସାରେ ବୈଷୟିକ କାର୍ଯ୍ୟ କରାଯାଉଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରତ୍ନଭଣ୍ଡାର ଅମୁହା ଦେଉଳର ବାହାର ପାର୍ଶ୍ଵ କେମିକାଲ ୱାସିଂ କରାଯିବା ସହ ମରାମତି ନେଇ ପଦକ୍ଷେପ ନିଆଯିବ । ରଥଯାତ୍ରା ପରେ ବାକି କାମ ସାରିବାକୁ ଲକ୍ଷ୍ୟ ରଖିଛି ଏଏସଆଇ ।

ଗତବର୍ଷ ଡିସେମ୍ବର ୧୭ ତାରିଖରୁ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଏସଆଇକୁ ବର୍ତ୍ତମାନ ସୁଦ୍ଧା ୧୯୩ ଘଣ୍ଟା ୫ ମିନିଟ ସମୟ ମିଳିଛି । ନୀତିକାନ୍ତି ହେତୁ ମରାମତି କାମ ଅନେକ ସମୟରେ ବନ୍ଦ ରହିଛି  l ସେପଟେ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ମରାମତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ସମେତ ଦେଉଳ କରଣ, ତଡ଼ଉ କରଣ, ଭଣ୍ଡାର ମେକାପ ଆଦି ଯୋଗ ଦେଇଥିଲେ ।