ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବାରୁ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ଗୌତମ ଗମ୍ଭରୀଙ୍କୁ ହତ୍ୟା ଧମକ । ଇ-ମେଲ ଜରିଆରେ ଗମ୍ଭୀରଙ୍କୁ ଏହି ଧମକ ଦିଆଯାଇଛି । ଯେଉଁଥିରେ ମାତ୍ର ତିନୋଟି ଶବ୍ଦ ଲେଖା ଯାଇଛି ‘I Kill You’ । ଏନେଇ ଗମ୍ଭୀର ପୋଲିସକୁ ଜଣାଇବା ସହ ଏତଲା ଦେଇଛନ୍ତି । ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ଆକ୍ଟିଭ ହୋଇଯାଇଛି । ପ୍ରାଥମିକ ତଦନ୍ତରୁ ଆତଙ୍କବାଦୀ ସଙ୍ଗଠନ ISIS କଶ୍ମୀର ପକ୍ଷରୁ ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି ।
ପୋଲିସ ସୂତ୍ରରୁ ପ୍ରକାଶ, ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି । ସାଇବର ସେଲର ଟିମ୍ ଇ-ମେଲକୁ ଟ୍ରାକ କରିବାକୁ ଚେଷ୍ଟା କରୁଛନ୍ତି । ମେଲ୍ କେଉଁଠୁ ଆସିଛି ଓ କିଏ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ରାଜେନ୍ଦର ନଗର ପୋଲିସ ଷ୍ଟେସନରେ ମାମଲା ହୋଇଛି । ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ବୁଧବାର ଏତଲା ଦେବା ସହ ନିଜ ପରିବାର ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଛନ୍ତି ଗମ୍ଭୀର ।
ଅଭିଯୋଗ ପରେ ଗମ୍ଭୀର ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ୨୨ ଏପ୍ରିଲରେ ଇ-ମେଲ୍ ଜରିଆରେ ଗମ୍ଭୀରଙ୍କୁ ଦୁଇ ଥର ଧମକ ଦିଆଯାଇଛି । ଗୋଟିଏ ଧମକପୂର୍ଣ୍ଣ ମେଲ୍ ଅପରାହ୍ନରେ ଆସିଥିବା ବେଳେ ଦ୍ବିତୀୟ ମେଲଟି ସନ୍ଧ୍ୟାରେ ଆସିଥିଲା । ତେବେ ଗମ୍ଭୀରଙ୍କୁ ଏପରି ଧମକ ଘଟଣା ପ୍ରଥମ ନୁହେଁ । ପୂର୍ବରୁ ୨୦୨୧ ନଭେମ୍ବରରେ ସେ ସଂସଦ ଥିବା ବେଳେ ଏମିତି ଧମକ ମିଳିଥାନ୍ତା ।
ସୂଚନାଯୋଗ୍ୟ, ପହଲଗାଓଁ ଆକ୍ରମଣକୁ ଗୌତମ ଗମ୍ଭୀର ନିନ୍ଦା କରିଥିଲେ । ନିଜ ସୋସିଆଊ ମିଡ଼ିଆ ଏକ୍ସରେ ପୋଷ୍ଟ କରି ଆତଙ୍କବାଦୀଙ୍କ ନରସଂହାରକୁ ନିନ୍ଦା କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ । ମୃତକଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛି । ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ । ଭାରତ ଏହାର ଉତ୍ତର ଦେବ ।