ବିଦ୍ୟୁତ କାଟ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ
1 min read
ଭୁବନେଶ୍ବର : ଅସହ୍ୟ ତାତିରେ ଜଳୁଛି ଓଡିଶା। ତା ସହ ଗୁଳୁଗୁଳି । ସେପଟେ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟସାରା ଅଘୋଷିତ ବିଦ୍ୟୁତ କାଟ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଅଭିଯୋଗ କରିଛନ୍ତି- ସରକାର ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ଦେଇ ଭୁଲିଗଲେ। ଏବେ ଖୋଦ ରାଜଧାନୀରେ ପାଓ୍ବାର କଟ କରାଯାଉଛି । ସରକାରଙ୍କ ଘୋଷଣା ଗୋଟିଏ ପଟେ ବିଜୁଳି ସମସ୍ୟା ଆଉ ଗୋଟିଏ ପଟେ ବୋଲି ସେ ଅଭିଯୋଗ କରିଛନ୍ତି । ସମାନ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରାଜଧାନୀରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଗାଁ ଗଣ୍ଡାରେ ବିଦ୍ୟୁତ କାଟ କେତେ ସମୟ ହେଉଛି ତାହାର ହିସାବ ନାହିଁ ବୋଲି କଂଗ୍ରେସ କହିଛି। ଅନ୍ୟପଟେ ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି କାଳବୈଶାଖୀ କାରଣ ଯୋଗୁଁ କିଛି ସମୟ ବିଦ୍ୟୁତ କାଟ ହେଉଛି ।
ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରଶ୍ନ ଉଠାଇଛି ଉପଭୋକ୍ତା ମହାସଂଘ । ପରିଚାଳନା ତ୍ରୁଟି ଓ ମରାମତି ସଠିକ ଭାବେ କରାଯାଉ ନଥିବାରୁ ବିଦ୍ୟୁତ କାଟ ପରି ସମସ୍ୟା ଦେଖାଦେଉଛି । ସରକାର ଏଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି । ତେଣେ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂଦେଓ । ଏହାସହ କାଳ ବୈଶାଖୀ କାରଣରୁ କିଛି ସ୍ଥାନରେ ବିଦ୍ୟୁତ୍ ବ୍ୟାହତ ହେଉଥିଲେ ବି ତୁରନ୍ତ ସମାଧାନ କରାଯାଉଛି। ବକେୟା ବିଦ୍ୟୁତ୍ ବିଲ ପ୍ରଦାନ କରି ନଥିଲେ ବି ଏବେ ବିଦ୍ୟୁତ୍ ସଂଯୋଗ କଟାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ନିକଟରେ ରାଜ୍ୟପାଳଙ୍କ ପୁରୀ ଗସ୍ତ ସମୟରେ ବିଦ୍ୟୁତ କାଟ ହୋଇଥିଲା । ଯାହା ଶକ୍ତିବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଥିଲା । ଯଦି ରାଜ୍ୟପାଳଙ୍କ ଗସ୍ତବେଳେ ଓ ରାଜଧାନୀରେ ବିଦ୍ୟୁତ କାଟ ହେଉଛି ତେବେ ଉପାନ୍ତି ଓ ଗାଁ ଗଣ୍ଡାରେ ସ୍ଥିତି କଣ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।