ମକା ଫସଲରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ମକା ଫସଲରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପାଞ୍ଚ ମାସର ପରିଶ୍ରମ ପୋଡି ପାଉଁଶ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ରାଇଘର ସରଗୁଲିରେ । ତେବେ କିଏ ଓ କାହିଁକି ଫଳନ୍ତି ମକା ଫସଲରେ ନିଆଁ ଲଗାଇଦେଲା ତାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ସରଗୁଲି ଗାଁର ଜ୍ୟୋତିର୍ମୟ ସାନା ୫ ଏକର ଜମିରେ ପାଞ୍ଚମାସ ପୂର୍ବେ ମକା ଲଗାଇଥିଲେ । କିନ୍ତୁ ତାଙ୍କ ମକା କିଆରୀରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ଫଳନ୍ତି ଫସଲ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ମକା ଫସଲର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜମିରେ ଲାଗିଥିବା ୩ ଲକ୍ଷ ଟଙ୍କାର ଡ୍ରିପ ପାଇପ ମଧ୍ୟ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହାସହ ପାଖରେ ଥିବା ଆଉ ଜଣେ ଚାଷୀଙ୍କ ମକା ଫସଲ ପୋଡ଼ି ମଧ୍ଯ ନଷ୍ଟ ହୋଇଯାଇଛି । ଆହୁରି ବଡ କଥା ହେଲା ନିଜେ ଜ୍ଯୋତିର୍ମୟ ଜମିକୁ ଯାଇପାରୁନାହାଁନ୍ତି । ସେ ଗତ ୫ ଦିନ ହେଲା ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଜମିରେ ନିଆଁଲଗାଇଥିବାର ଅଭିଯୋଗ କରିଛନ୍ତି ଜ୍ୟୋତିର୍ମୟଙ୍କ ବାପା ଜୟନ୍ତ ସାନା । ଘଟଣାସ୍ଥଳରେ ରାଇଘର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲେ । କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଶାସନ ତୁରନ୍ତ କ୍ଷତି ପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।