ଜମ୍ମୁ-କାଶ୍ମୀରରେ ଧ୍ୱଂସର ତାଣ୍ଡବଲୀଳା, ୫ଜଣଙ୍କ ମୃତ୍ୟୁ, ରାସ୍ତା ସଫା ପାଇଁ ଆହୁରି ଲାଗିବ ୪୮ଘଣ୍ଟା
1 min read
ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଧ୍ୱଂସର ତାଣ୍ଡବ । ବାଦଲଫଟା ବର୍ଷାରେ ସେଠାରେ ବଡ଼ଧରଣର ଭୂସ୍ଖଳନ ହୋଇଛି । ଏକାଧିକ ଘର ଭାଙ୍ଗିଯିବା ସହ ଯାନବାହାନ ନଷ୍ଟ ହୋଇଯାଇଛି । ଅନେକ ସ୍ଥାନରେ ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ଲୋକ ନିଜ ଘରେ ଫସି ରହିଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସହ କିଛି ଲୋକ ନିଖୋଜ ଥିବା କୁହାଯାଉଛି । ଅନ୍ୟପଟେ ଫସିରହିଥିବା ଲୋକଙ୍କ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଯାଇଛି ।
ରାମବନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ରାସ୍ତାଘାଟ ଭାଙ୍ଗିଯାଇଛି । ଏପରିକି ଜାତୀୟ ରାଜପଥରେ ପଥରଖଣ୍ଡ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ଅଞ୍ଚଳରେ ଅନେକ ଘର, ଦୋକାନ, ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଅଧିକାରୀ ମାନେ କହିଛନ୍ତି ଯେ ୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।
ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୨୫୦ କିମି ଲମ୍ୱର ଜମ୍ମୁରୁ ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତାଟି କାଶ୍ମୀରର ଅନ୍ୟାନ୍ୟ ସ୍ଥାନକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା । ଏହି ରାସ୍ତାରେ ପାହାଡରୁ ପଥର ଖସି ରାସ୍ତା ଜାମ୍ ହୋଇଯାଇଛି । ଯାହା ଯୋଗଁ ଶହ ଶହ ଯାନବାହାନ ଫସି ରହିଛନ୍ତି । ଏହି ରାସ୍ତାକୁ ସଫା ସହ ଯାତାୟାତ ସ୍ୱାଭାବିକ କରିବାକୁ ଆହୁରି ୪୮ ଘଣ୍ଟା ସମୟ ଲାଗିପାରେ ବୋଲି ସୂଚନା ରହିଛି ।
ଅନ୍ୟପଟେ ଭାରତୀୟ ସେନା ପକ୍ଷରୁ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏନଏଚ୍-୪୪ରେ ଫସି ରହିଥିବା ଯାତ୍ରୀଙ୍କୁ ଖାଦ୍ୟ, ବାସସ୍ଥାନ ଏବଂ ଚିକିତ୍ସା ସହାୟତା ଯୋଗାଇବା ପାଇଁ QRT ଗୁଡିକୁ ନିୟୋଜିତ କରାଯାଇଛି । ଏହାସହ ୮ଟି ସେନାବାହିନୀ ଟିମ୍ ପ୍ରସ୍ତୁତ ଥିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବା କାମ ଜାରି ରହିଛି ।