ଅନଲାଇନ୍ ବେପାର ସାପ୍ତାହିକ ହାଟ ଉପରେ ପଡୁଛି ଭାରି
1 min read
ଗୁଣପୁର: ଅନଲାଇନ୍ରେ କିଣାବିକା କରିବାକୁ ପସନ୍ଦ କରୁଛନ୍ତି ଗ୍ରାହକ ଓ ଯୁବପୀଢ଼ି । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଗ୍ରାମାଞ୍ଚଳର ସାପ୍ତାହିକ ହାଟ ଉପରେ । ଲୋକେ ପୂର୍ବଭଳି ଗ୍ରାମଞ୍ଚଳ ସାପ୍ତାହିକ ହାଟକୁ ଆସୁନାହାନ୍ତି । ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ହାଟକୁ ଆସିବା କମାଇ ଦେଲେଣି । ଗୁଣପୁର ଉପଖଣ୍ଡରେ ଥିବା ଏହି ସାପ୍ତାହିକ ହାଟ ଗୁଡ଼ିକରେ ବ୍ୟବସାୟ କମି ଯାଇଛି । ୫ ବର୍ଷରେ ୫୦ ପ୍ରତିଶତ ବ୍ୟବସାୟ ଖସିଥିବା କହୁଛନ୍ତି ବ୍ୟବସାୟୀ ।
ଫାଙ୍କା ଫାଙ୍କା ଗାଁର ସପ୍ତାହିକ ହାଟ । ନାଁ ଆସୁଛନ୍ତି ଆଗପରି ଗ୍ରହକ, ନା ବ୍ୟବସାୟୀ । ବନ୍ଦ ହେବାକୁ ବସିଛି ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡରେ ଥିବା ବିଭିନ୍ନ ସପ୍ତାହିକ ହାଟ । ଗ୍ରାହକ ହାଟକୁ ଆସୁ ନଥିବାରୁ ବଡ଼ ବଡ଼ ବ୍ୟବସାୟୀ ଓ ଚାଷୀ ମଧ୍ୟ ଆସିବା ବନ୍ଦ କରିଦେଇଛନ୍ତି । ଗାଈଗୋରୁ, ରାସନ, ପନିପରିବା, ପୋଷାକ ଓ ଘରକରଣା ଜିନିଷ ପାଇଁ ସାପ୍ତାହିକ ହାଟରେ ନିର୍ଭର କରୁଥିଲେ ଅଞ୍ଚଳବାସୀ । ବାହାଘର, ବ୍ରତଘର ସମୟରେ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ କିଣୁଥିଲେ । ଏବେ ଅନଲାଇନରେ କିଣାବିକା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଏହି ସାପ୍ତାହିକ ହାଟ ଉପରେ । ପୂର୍ବରୁ ସପ୍ତାହିକ ହାଟ ଗୁଡିକରେ ଦିନ ୫୦ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବା ବେଳେ ପୂଜା ପର୍ବାଣୀରେ କୋଟିଏ ଟଙ୍କା ବି ଟପି ଯାଉଥିଲା ବ୍ୟବସାୟ । ଏବେ କେତେକ ହାଟ ବନ୍ଦ ହୋଇଯାଇଥିବା ବେଳେ ଚାଲୁଥିବା ହାଟଗୁଡ଼ିକ ମଧ୍ୟ ସଙ୍କଟ ଦେଇ ଗତି କରୁଛି ।
ଆଧୁନିକ ସଭ୍ୟତା ମଧ୍ୟରେ ଅନଲାଇନ ମାର୍କେଟିଂ ବଢ଼ିଥିବା ବେଳେ ହାଟରୁ ମୁହଁ ଫେରାଉଛନ୍ତି ଗ୍ରାହକ । ଗୁଣପୁର ଉପଖଣ୍ଡରେ ନିୟନ୍ତ୍ରିତ ବଜାର କମିଟି ଦ୍ଵାରା ପରିଚାଳିତ ମୁନିଖଲ, ଦହିଖାଲ, ପଦ୍ମପୁର ହାଟ ବନ୍ଦ ହୋଇଯାଇଛି । ୫ ବର୍ଷରେ ୫୦ ପ୍ରତିଶତ ବ୍ୟବସାୟ ଖସିଥିବା ବେଳେ କମିଛି ନିୟନ୍ତ୍ରିତ ବଜାର କମିଟିର ରାଜସ୍ଵ । ୨୦୧୮-୧୯ରେ ୩୯ ଲକ୍ଷ ୫୨ ହଜାର ୩୩୭ ଟଙ୍କା, ୨୦୧୯-୨୦ରେ ୧୪ ଲକ୍ଷ ୬୩ ହଜାର ୪୮୧ ଟଙ୍କା, ୨୦୨୦-୨୧ରେ ୧୯ ଲକ୍ଷ ୪୪ ହଜାର ୮୭୪ ଟଙ୍କା, ୨୦୨୧-୨୨ରେ ୩୦ ଲକ୍ଷ ୩ ହଜାର ୪୩୫ ଟଙ୍କା ଓ ୨୦୨୨-୨୩ରେ ୨୧ ଲକ୍ଷ ୭୨ ହଜାର ୧୨୯ ଟଙ୍କାକ ରାଜସ୍ଵ ପାଇଥିଲା ନିୟନ୍ତ୍ରିତ ବଜାର କମିଟି । ସାପ୍ତାହିକ ହାଟକୁ ଗ୍ରାମୀଣ ହାଟ କରିବାକୁ ସରକାରଙ୍କଠାରୁ ମତାମତ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କରୁଣାକର ସାହୁ ।
ସାପ୍ତାହିକ ହାଟ ଓ ଗାଁ ହାଟ ଗୁଡ଼ିକ ଏକ ପ୍ରକାର ସଙ୍କଟ ଦେଇ ଗତି କରୁଛି । ଆଗକୁ ସରକାର ଓ ନିୟନ୍ତ୍ରୀତ ବଜାର କମିଟିର ପଦକ୍ଷେପ ଉପରେ ନିର୍ଭର କରୁଛି ଚାଷୀ ଓ ବ୍ୟବସାୟୀଙ୍କ ଭାଗ୍ୟ ।