ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ସମସ୍ୟା ଯୋଗୁଁ ସେ ଗତ କିଛି ବର୍ଷ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ।
ରତିକାନ୍ତ ମହାନ୍ତି ଦି ଏସିଆନ୍ ଏଜ୍, ଦିନଲିପି, ସ୍ୱରାଜ୍ୟ ଏବଂ ପର୍ଯ୍ୟବେକ୍ଷକ ଭଳି ଅନେକ ସମ୍ବାଦପତ୍ରରେ କାମ କରିଛନ୍ତି । ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଓ ରାଜନୀତିର ଖବର ପରିବେଷଣ କରୁଥିଲେ । ସେ ସମ୍ବାଦ ସରବରାହ ସଂସ୍ଥା ହିନ୍ଦୁସ୍ଥାନ ସମାଚାର ସହିତ ମଧ୍ୟ ଜଡିତ ଥିଲେ । ସେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଚେତନାର ଏକ ନିଷ୍ଠାବାନ୍ କଣ୍ଠସ୍ୱର ଥିଲେ । ଖାସ କରି ବିଧାନସଭାରେ ସମ୍ବାଦ ସଂଗ୍ରହ କରିବାରେ ଦକ୍ଷ ଥିଲେ । ଅନେକ ଯୁବ ସାମ୍ବାଦିକଙ୍କ ପାଇଁ ସେ ଆଦର୍ଶ ଥିଲେ । ଯୁବପିଢୀର ସାମ୍ବାଦିକଙ୍କୁ ସବୁ ସମୟରେ ଦିଗଦର୍ଶନ ଦେଉଥିଲେ । ନିଜର ସାଲିସ ବିହୀନ ସାମ୍ବାଦିକତା ପାଇଁ ସବୁ ସ୍ତରରେ ପରିଚିତ ଥିଲେ । ରାଜ୍ୟର ଯୁବ ସାମ୍ବାଦିକଙ୍କ ମଧ୍ୟରେ ସେ ରତି ଭାଇ ନାଁରେ ସୁପରିଚିତ ଥିଲେ ।
ସେହିଭଳି ଆଜି ଆଉ ଜଣେ ବରିଷ୍ଠ ସାମ୍ବାଦିକ ଶେଖ ଅବଦୁଲ କଲିମଙ୍କ ମଧ୍ୟ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତା ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି ।