କାଜୁ ଜଙ୍ଗଲକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨୫ରୁ ଅଧିକ ଆହତ

ଭୁବନେଶ୍ବର: କାଜୁ ଜଙ୍ଗଲକୁ ନେଇ ପୁରୀ ଓ ଜଗତସିଂହପୁର ଜିଲ୍ଲାର ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଘଟଣାରେ ୨୫ରୁ ଅଧିକ ଲୋକ ଆହତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀ ଅପର ପାର୍ଶ୍ଵ ସୁନେଇଡିଆକୁ ବାଲିଡିଆ ଗାଁର ଲୋକେ କାଜୁ ତେଳିବାକୁ ଯାଇଥିଲେ । ଏହି ସମୟରେ ଜଗତସିଂହପୁର ଜିଲ୍ଲା ତରାସାହି ଗ୍ରାମର ଲୋକଙ୍କ ସହ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ହେବାରୁ ଉଭୟ ପକ୍ଷର ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଆକ୍ରମଣରେ ବାଲିଡିଆ ଗାଁର ୧୭ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କ ମୁଣ୍ଡ, ଗୋଡ଼ ଓ ମୁହଁରେ ଶକ୍ତ ଆଘାତ ଲାଗିଛି । ଗୁରୁତରଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ତରାସାହିର ଜଣେ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନେ ବାଲିକୁଦା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।
ଖବର ପାଇ ବାଲିକୁଦା ପୋଲିସ, ବାଲିକୁଦା ତହସିଲଦାର ଏବଂ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।