ହସ୍ପିଟାଲରେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମରେ ଥିବା ଏକ ଘରୋଇ ହସ୍ପିଟାଲରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ଏୟାର ହୋଷ୍ଟେସ୍ ହସ୍ପିଟାଲର ପୁରୁଷ କର୍ମଚାରୀଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ ।
ପୋଲିସ ହସ୍ପିଟାଲର ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି । ପୀଡିତା ଏୟାର ହୋଷ୍ଟେସଙ୍କ ଅଭିଯୋଗ ଅନୁଯାୟୀ, ସେ ଭେଣ୍ଟିଲେଟରରେ ଥିବା ସମୟରେ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ ତାଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ।
ଏହି ମାମଲାରେ ତଦନ୍ତ ଚାଲିଛି ବୋଲି ହସ୍ପିଟାଲ ପ୍ରଶାସନ କହିଛି। ହସ୍ପିଟାଲ ପକ୍ଷରୁ ଏକ ଚିଠି ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ସେମାନେ କହିଛନ୍ତି ଯେ ପୋଲିସକୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ। ଗୁରୁଗ୍ରାମ ପୋଲିସ କହିଛି ଯେ, ପୀଡିତାଙ୍କ ବୟାନ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି। ପୋଲିସ ହସ୍ପିଟାଲର ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯିବ।
ପୀଡିତା ଏୟାର ହୋଷ୍ଟେସଙ୍କ ଅନୁଯାୟୀ, ଯେତେବେଳେ ତାଙ୍କ ସହିତ ଏହି ଘୃଣ୍ୟ କାମ କରାଯାଇଥିଲା, ସେତେବେଳେ ସେ ଭେଣ୍ଟିଲେଟରରେ ଅଚେତ ଅବସ୍ଥାରେ ଥିଲେ, କିନ୍ତୁ ସେ ସବୁକିଛି ଅନୁଭବ କରିପାରୁଥିଲେ। ସେ ଏହାକୁ ପ୍ରତିରୋଧ କରିପାରିଲେ ନାହିଁ। ଡିସଚାର୍ଜ ହେବା ପରେ, ସେ ତାଙ୍କ ସ୍ୱାମୀଙ୍କୁ ଏ ବିଷୟରେ ଜଣାଇଲେ ଏବଂ ପୋଲିସରେ ଅଭିଯୋଗ କଲେ।