ଜଳକଷ୍ଟ ଭୋଗୁଛନ୍ତି ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତର୧୮ ଓ ୧୯ ନମ୍ବର ୱାର୍ଡ ଲୋକେ

ବିଞ୍ଝାରପୁର : ରାତି ପାହିଲେ ଘାରୁଛି ପାଣି ଚିନ୍ତା । ଗରା ବାଲଟି ଧରି ନଦୀକୁ ଧାଉଁଛନ୍ତି ମହିଳା । ଏଭଳି କିଛି ଦୃଶ୍ଯ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତ ଅନ୍ତର୍ଗତ ୧୮ ଓ ୧୯ ନମ୍ବର ୱାର୍ଡରେ । ୱାର୍ଡରେ ପାଖାପାଖି ୭୦ ଗୋଟି ପରିବାରର ୫ ଶହରୁ ଅଧିକ ଲୋକେ ବସବାସ କରୁଛନ୍ତି । ହେଲେ ଲୋକଙ୍କୁ ଏପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ । ୱାର୍ଡରେ ଯେଉଁ ଦୁଇଟି ନଳକୂପ ଥିଲା ସେଥିରୁ ଗୋଟିଏ ଅଚଳ ହୋଇପଡିଛି । ଅନ୍ୟଟିରୁ ପାଣି ନେବାକୁ ହେଲେ ଦୀର୍ଘ ସମୟ ଧରି ଲୋକଙ୍କୁ ନଳକୂପ ପାଖରେ ଠିଆ ହେବାକୁ ପଡୁଛି । ବାଧ୍ୟ ହୋଇ ନିକଟରେ ଥିବା ଖରସ୍ରୋତା ନଦୀ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରୁଛନ୍ତି ସ୍ଥାନୀୟ ଲୋକେ । ନଦୀର ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ପୀଡିତ ହେଉଥିବା ନେଇ କହିଛନ୍ତି ଗ୍ରାମବାସୀ ।
ୱାର୍ଡରେ ଖରାପ ହୋଇ ପଡିଥିବା ନଳକୂପର ମରାମତି ପାଇଁ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନ ନିକଟରେ ଦ୍ଵାରସ୍ଥ ହେଲା ପରେ ବି ଫଳ ଶୂନ । ଆଗକୁ ଆହୁରି ଗ୍ରୀଷ୍ମ ପ୍ରବାହ ବଢିବାର ସମ୍ଭାବନା ଥିବାରୁ ଶୀଘ୍ର ଜଳ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଡ଼ିଓ । ଲୋକଙ୍କ ସମସ୍ୟାର କେବେ ସମାଧାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।