ଲିଙ୍ଗିପୁର ସ୍ନେହା ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ସୈତାନ ସିକ୍ୟୁରିଟି ଗାର୍ଡର ସାଂଘାତିକ କାରନାମା

ନନ୍ଦିଘୋଷ ବ୍ୟୁରୋ: ପ୍ରେମର କରୁଣ ପରିଣତି । ପ୍ରେମିକ ସାଜିଲା ଖୁନି ଆସାମୀ । ମାରିଲା ପରେ ମୃତଦେହକୁ ଲିଙ୍ଗିପୁର ଦୟା ନଦୀ କୂଳରେ ଫିଙ୍ଗିଲା । ଦୁଇ ମାସରୁ ଅଧିକ ସମୟର ତନାଘନା ପରେ ଧରାହେଲା ଜହ୍ଲାଦ । ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ କଲା ଖଣ୍ଡଗିରି ଥାନା ପୋଲିସ ।
ସୈତାନ ସିକ୍ୟୁରିଟି ଗାର୍ଡର ସାଙ୍ଘାତିକ କାରନାମା । ସ୍ନେହାର ସ୍ନେହ ଟିକିଏ ମିଳିଲାନି ବୋଲି ଚିପି ଦେଲା ତଣ୍ଟି । ଅଡୁଆ ସୂତାରୁ ଖିଅ କାଢ଼ିଲେ ଖଣ୍ଡଗିରି ଆଇଆଇସି । କାହାଣୀଟି ଯେତିକି ସଙ୍ଗୀନ, ପୋଲିସ ପାଇଁ ମଧ୍ୟ ଥିଲା ସେତିକି ଚ୍ୟାଲେଞ୍ଜିଙ୍ଗ । ପ୍ରଥମେ ଅପମୃତ୍ୟୁ ମାମଲା, ତଦନ୍ତ ପରେ ଜଣାପଡ଼ିଲା ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଜାନୁଆରୀ ୨୮ ତାରିଖରେ ଧଉଳି ଥାନା ଲିଙ୍ଗିପୁର ମେଳନ ପଡିଆ ନିକଟରୁ ମିଳିଥିଲା ଗଳିତ ମୃତଦେହ । ସାଇଣ୍ଟିଫିକ ଟିମ ଯାଇ ସରଜମିନ ତଦନ୍ତ କରିଥିଲା । ପରେ ଗଳିତ ମୃତଦେହର ପରିଚୟ ଜାଣିବା ପାଇଁ ତନାଘନା ଚାଲିଥିଲା । ସବୁ ଥାନାକୁ ପରିଚୟ ଖୋଜିବାକୁ କୁହାଯାଇଥିଲା । ଜାନୁଆରୀ ୧୦ରେ ଖଣ୍ଡଗିରି ଥାନାରେ ଏକ ମିସିଙ୍ଗ ରିପୋର୍ଟ ହୋଇଥିଲା । ପରିବାର ଲୋକଙ୍କୁ ଯୋଗାଯୋଗ ପରେ ବି ଚିହ୍ନଟ କରିବା ମୁସ୍କିଲ ଥିଲା । ସ୍ନେହା ବେହେରା ନିଖୋଜ ନେଇ, ରିପୋର୍ଟ କରିଥିଲେ ତାଙ୍କ ଭଉଣୀ । ସ୍ନେହାଙ୍କ ଘର କନ୍ଧମାଳ । ସେ ବରମୁଣ୍ଡା ରୁଚିକା ମାର୍କେଟ ନିକଟରେ ରହୁଥିଲେ । ମୋବାଇଲ ନମ୍ବରରୁ ଖୋଳତାଡ଼ ପରେ ଜଣାପଡିଲା ଯେ, ସେ ଜଣେ ସିକ୍ୟୁରିଟି ଗାର୍ଡ ସହ ପ୍ରେମ ସମ୍ପର୍କରେ ଥିଲେ । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ଚନ୍ଦନ ପରିଡା ସହ ସେହିଦିନ ଧଉଳି ବୁଲିବାକୁ ଯାଇଥିଲେ ମୃତ ଯୁବତୀ ସ୍ନେହା ବେହେରା ।
ତଥ୍ୟ ପ୍ରମାଣ ଏକାଠି କରିବା ପରେ, ପ୍ରେମ ସମ୍ପର୍କ ପଦାକୁ ଆସିଥିଲା । ଆଉ ପ୍ରେମ ଯେ ପାପରେ ପରିଣତ ହୋଇଥିଲା, ସେ ନେଇ ପର୍ଦ୍ଦାଫାସ ମଧ୍ୟ କରିଥିଲା ଖଣ୍ଡଗିରି ଥାନା ପୋଲିସ । ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା କରିବା ପରେ, ସେହି ସ୍ଥାନ ଛାଡି ପଳେଇବା ସହ ଚାକିରି ଛାଡି ଫେରାର ଥିଲା । ଠିକ ଏହି ସମୟରେ ତଦନ୍ତକୁ ବାଟବଣା କରିବା ପାଇଁ ମୃତଦେହ ପାଖରେ ଚନ୍ଦନପୁର ଥାନା ଅଞ୍ଚଳର ମିଟୁ ପରିଡ଼ା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ପରିଶୋଧ ନେବାକୁ ଯାଇ ରମେଶ ନାମକ ଜଣେ ବ୍ୟକ୍ତିର ଆଧାର କାର୍ଡ ଓ ଏକ ମିଛ ସୁଇସାଇଟ ନୋଟ କ୍ରାଇମସିନରେ ଫୋପାଡ଼ି ଦେଇଥିଲା । ମିଟୁ ବିବାହ କରିବାକୁ ଚାଁହୁଥିବା ଯୁବତୀଙ୍କୁ ରମେଶ ବିବାହ କରିବାରୁ ଏହି ରାଗ ସୁଝାଇବାକୁ ଷଡ଼ଯନ୍ତ୍ର କରିଥିବା ପୁଲିସ ଜାଣିବାକୁ ପାଇଥିଲା ।
ଲିଙ୍ଗିପୁର ନଦୀପଠାର ସେହି ପରିତ୍ୟକ୍ତ ସ୍ଥାନ ପାଖକୁ ଅଭିଯୁକ୍ତ ଚନ୍ଦନ ପରିଡା ଓରଫ ମଙ୍ଗୁକୁ ନେଇ ସିନ ରିକ୍ରିଏସନ କରାଯାଇଛି । ଅଭିଯୁକ୍ତକୁ ଜେଲ ପଠାଇବା ପୂର୍ବରୁ ଜଗତସିଂହପୁର କୁଜଙ୍ଗ ଥାନାରେ ତା ନାଁରେ ଆହୁରି ୨ଟି ସଙ୍ଗୀନ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ ।