ସମାଧିରୁ ଶବ କାଢ଼ିଲେ, ମାଂସ ପକାଇ କଙ୍କାଳ ନେଇଗଲେ

ଭଦ୍ରକ: ମଶାଣିରେ ସମାଧି ଖୋଳି ଶବକୁ ଘୋଷାଡ଼ି ବାହାର କଲେ । ଏହାପରେ ମାଂସ କାଣି ଏକ ଲୁଗାରେ ବାନ୍ଧି ପକାଇ ଦେଇ କଙ୍କାଳ ନେଇଗଲେ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ଗାଁରେ ।
ଅଭିଯୋଗ ଅନୁସାରେ, ମଣିନାଥପୁର ଗାଁର ରୁକ୍ମିଣୀ ସାମଲଙ୍କର ଗତ ୧ ତାରିଖରେ ମୃତ୍ୟୁ ଘଟିଥିଲା । ପରମ୍ପରା ଅନୁସାରେ ପରିବାର ପକ୍ଷରୁ ଗାଁ ମଶାଣିରେ ଶବ ପୋତା ଯାଇଥିଲା । ଆଜି ଦଶାହ କର୍ମ ପାଇଁ ସକାଳୁ ପରିବାର ଲୋକେ ସମାଧି ନିକଟକୁ ଯାଇଥିଲେ । ସେଠି ପହଞ୍ଚି ଦେଖିଥିଲେ ସମାଧି ଖୋଳି କିଏ ନେଇ ଯାଇଛି । ସମାଧିଠାରୁ କିଛି ଦୂରରୁ ପର୍ଯ୍ୟନ୍ତ ଶବକୁ ଟାଣି ନିଆଯାଇଥିବା ଚିହ୍ନ ଦେଖିବାକୁ ମିଳିଥିଲା । ଏହାସହ ସେଠାରୁ ଏକ ଲୁଗାରେ କିଛି ମାଂସ ବନ୍ଧା ହୋଇ ପଡିଥିବା ବେଳେ ସଂପୂର୍ଣ୍ଣ କଙ୍କାଳ ଗାଏବ ଥିବା ପରିବାର ଲୋକେ ଦେଖିଥିଲେ ।
ତେବେ ଏହା ପ୍ରଥମ ଘଟଣା ନୁହେଁ । ଗତ ୨ ବର୍ଷ ଭିତରେ ଗାଁରୁ ପ୍ରାୟ ୫୬ଟି ଶବ ସମାନ ଢଙ୍ଗରେ ଗାଏବ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।