ଗୋଷ୍ଠୀ ବିବାଦରେ ପଡିଲା ପୂର୍ଣ୍ଣଛେଦ, ୨୫ ବର୍ଷ ପରେ ଭିଟାମାଟିକୁ ଫେରିଲେ ୫୦ ପରିବାର
1 min read
ନନ୍ଦିଘୋଷ ବ୍ୟୁରୋ : ଗୋଷ୍ଠୀ ବିବାଦରେ ପଡ଼ିଲା ପୂର୍ଣ୍ଣଛେଦ । ୨୫ ବର୍ଷ ପରେ ଭିଟାମାଟିକୁ ଫେରିଲେ ୫୦ ପରିବାର । ଦୀର୍ଘ ବର୍ଷ ହେଲା ଗାଁରୁ ବିତାଡିତ ପରିବାରକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଉଦ୍ୟମ ଏବେ ସଫଳ ହୋଇଛି । ଆସିକା SDPO, ବି.ଡି.ଓ ଏବଂ ଆସିକା ଓ କୋଟିନଡା ଥାନା ଅଧିକାରୀ ବିତାଡିତ କିଛି ପରିବାରକୁ ଗାଁକୁ ନେଇ ସେମାନଙ୍କ ଜାଗା ଚିହ୍ନଟ କରୁଛନ୍ତି । ୫୦ଟି ପରିବାରର ଘର ଦ୍ବାର ଇତି ମଧ୍ୟରେ ମାଟିରେ ମିଶି ଯାଇଛି । ଜମି ବାଡି ବି ସବୁ ପଡିଆ ପଡିଛି । ମାଟିରେ ମିଶି ଯାଇଥିବା ସ୍ଥାନରେ ଯେଉଁ ନଟାବୁଦା ହୋଇଥିଲା ତାହାକୁ ସଫା କରିଛି ପ୍ରଶାସନ । ଆଗକୁ ବିତାଡିତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି ।
ଗଂଜାମ ଜିଲ୍ଲା ଆସିକା ଥାନା ବାଲିଛାଇ ଗାଁରେ ଦୁଇ ହଜାର ମସିହାରେ ଗୋଷ୍ଠୀ ବିବାଦ ହୋଇଥିଲା । ବିବାଦ ଏତେ ମାତ୍ରାରେ ଉଗ୍ର ହୋଇଥିଲା କି ଗାଁରୁ ୫୦ଟି ପରିବାରକୁ ବିତାଡିତ କରାଯାଇଥିଲା । ଗାଁର ଗୋଟିଏ ଗୋଷ୍ଠୀ ଏକାଠି ହୋଇ ଦୁଇ ହଜାର ମସିହା ୨୦ ଫେବୃଆରୀରେ ୫୦ ପରିବାରକୁ ଗାଁରୁ ବିତାଡିତ କରିଥିଲେ । ସେହିଦିନ ଠାରୁ ବିତାଡିତ ଲୋକେ ଭାଗ୍ୟକୁ ଆଦରି କିଏ କେଉଁଠି ରହୁଥିଲେ । ଦୀର୍ଘ ୨୫ ବର୍ଷ ମଧ୍ୟରେ ନିଜ ଭିଟା ମାଟିକୁ ଫେରିବା ପାଇଁ ବହୁ ସମୟରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ବାରସ୍ଥ ହୋଇ ବିଫଳ ହୋଇଥିଲେ । ଏପରିକି ଗତ ଫେବୃଆରୀ ମାସ ୨୦ ତାରିଖରେ ଗାଁର ଉଭୟ ପକ୍ଷ ଲୋକଙ୍କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସାମାଧାନ ପାଇଁ ଚେଷ୍ଟା କରାଯାଇଥିଲା । ଫେବୃଆରୀ ୨୪ରେ ମଧ୍ଯ ପ୍ରଶାସନର ଉଦ୍ଯମକୁ ବିଫଳ କରିଥିଲେ ଗାଁ ଲୋକେ । ଶେଷରେ ଦୀର୍ଘ ଦିନ ପ୍ରଚେଷ୍ଟାରେ ଆଜି ପଡିଛି ପୂର୍ଣ୍ଣଛେଦ । ବିତାଡିତ ପରିବାର ଗାଁକୁ ଫେରିଛନ୍ତି ।