କେଉଁଠୁ ଆସୁଥିଲା ନକଲି ଟଙ୍କା: ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ
1 min read
ଭୁବନେଶ୍ବର: ଭଦ୍ରକ ଯିବ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ । ନକଲି ନୋଟ୍ ରାକେଟର ଖୁବଶୀଘ୍ର ହେବ ଖୁଲାସା । ରିମାଣ୍ଡରେ ଆସିବ ଫର୍ଜି ମାଷ୍ଟରମାଇଣ୍ଡ ମାନସ । ଚିତ୍ରାଳୟରୁ ଖାକି ପୋଷାକ ଭଡାକୁ ଆଣି ନିଜକୁ ଡ଼ିଏସପି କହି ବୁଲୁଥିବା ଭଦ୍ରକର ମାନସ ସେନାପତି ସହିଦନଗର ଥାନା ପୋଲିସ ହାତରେ ଧରା ପଡିବା ପରେ ଧୀରେ ଧୀରେ ଖୋଲିବାରେ ଲାଗିଛି ଗୁମର । ବିବାହ ପାଇଁ ଯୁବତୀଙ୍କୁ ପ୍ରଲୋଭନ, ଚାକିରି ପାଇଁ ଆଶାୟୀଙ୍କ ଠୁ ଟଙ୍କା ଠକେଇ ନେଇ ତଦନ୍ତ ପରେ ଏବେ ଆରମ୍ଭ ହୋଇଛି ନକଲି ନୋଟ ର ଖୋଲତାଡ଼ । ଗାଡିରୁ ମିଳିଥିବା ଲକ୍ଷେ ୯୩ ହଜାର ଟଙ୍କା ଆସିଥିଲା କୁଆଡୁ ? କେବେଠାରୁ ମାନସ ଜାଲ୍ ନୋଟ୍ କାରବାର କରୁଥିଲା ? ଧରାପଡିବା ଦିନ ମାନସ ଏହି ନକଲି ନୋଟରୁ କିଛି ଅଂଶ ରାଜଧାନୀରେ ଖର୍ଚ୍ଚ କରିଦେଇନି ତ ? ଏସବୁର ତଦନ୍ତ ବେଳେ ଆହୁରି ୨ ଜଣଙ୍କ ସମ୍ପୃକ୍ତି ବର୍ତ୍ତମାନ ଜାଣିବାକୁ ପାଇଛି ପୋଲିସ । ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ମାମଲା ମଧ୍ୟ ରୁଜୁ କରାଯାଇଛି । ୨ ଦିନ ଭିତରେ ରିମାଣ୍ଡରେ ଆସିବା ପରେ ଜାଲ ନୋଟ କାରବାର ର କିଙ୍ଗପିନ ସମ୍ପର୍କରେ ସୂଚନା ମିଳିବ ବୋଲି କହିଛନ୍ତି ପୋଲିସ କମିଶନର ।
ସେପଟେ ପୋଲିସ ତଦନ୍ତ ବେଳେ ଏକ ସଙ୍ଗୀନ ତଥ୍ୟ ପାଇଛି । ଘଟଣା ଦିନ ଜଣଙ୍କୁ କନଷ୍ଟେବଳ ଚାକିରି କରାଇଦେବା ପାଇଁ ୨ ଲକ୍ଷ ଟଙ୍କା ନେଇଥିଲା ଅଭିଯୁକ୍ତ । ଯାହାକୁ ନକଲି ବୋଲି ନିଜେ ଜାଣିନଥିଲା ମାନସ । ଜେରା ବେଳେ ଏଭଳି ସୁରାକ ସହିଦନଗର ଥାନା ପୋଲିସ ପାଖରେ ଲାଗିଛି । କେବଳ ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ନକଲି ନୋଟ କାରବାର ଅଧିକ ଉଦବେଗଜନକ ରହିଛି । ବର୍ଷକରେ ଜାଲ ନୋଟ କାରବାର ୧୫୧ ପ୍ରତିଶତ ବଢିଥିଲା ବେଳେ ୫ଶହ ଟଙ୍କିଆ ନୋଟକୁ ବିଶେଷ ଭାବେ ନକଲ କରାଯାଇ ପାରୁଛି । ୨୦୧୬ ନୋଟବନ୍ଦୀ ପରେ ଏହି କାରବାର ହୁ ହୁ ହୋଇ ବଢିଚାଲିଛି । NCRB ରେ ପ୍ରକାଶିତ ରେକର୍ଡ RBI ର ଚିନ୍ତା ବଢ଼ାଇଥିବା ବେଳେ ଦେଶର ସୁରକ୍ଷା ପ୍ରତି ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ ।ଜଳପଥରେ ମୁଖ୍ୟତଃ ନକଲି ନୋଟ ଓଡିଶାକୁ ଆସୁଛି । ସେପଟେ ଅତ୍ୟାଧୁନିକ ସଫ୍ଟୱେର ସାହାଯ୍ୟରେ ଜାଲ ନୋଟ ଛପାଯାଉଥିବା ଖବର ମିଳିବା ପରେ ମାଷ୍ଟର ମାଇଣ୍ଡଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି ପୋଲିସ ।