ଲୋକସଭାରେ ଅପ୍ରବାସୀ ଓ ବିଦେଶୀ ବିଲ-୨୦୨୫ ଗୃହୀତ
1 min read
ନନ୍ଦିଘୋଷ ବ୍ୟୁରୋ : ଲୋକସଭାରେ ଅପ୍ରବାସୀ ଓ ବିଦେଶୀ ବିଲ-୨୦୨୫ ଗୃହୀତ । ବିଲ୍ ପାସ୍ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି-ଯେଉଁମାନେ ଶିକ୍ଷା, ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା, ବ୍ୟବସାୟ ଆଦି ଲାଗି ଭାରତ ଆସିବେ ସେମାନଙ୍କୁ ସ୍ବାଗତ କରାଯିବ । ମାତ୍ର ଯେଉଁମାନେ ଦେଶ ଲାଗି ବିପଦ ସେମାନଙ୍କ କ୍ଷେତ୍ରରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ । ସେ କହିଛନ୍ତି ଭାରତ ଏକ ଧର୍ମଶାଳା ନୁହେଁ ଯେ ଯେକୌଣସି ବ୍ୟକ୍ତି କୌଣସି ବିରୋଧୀ ଆଭିମୁଖ୍ୟ ନେଇ ଭାରତ ଆସିପାରିବେ । ସେମାନଙ୍କ ପ୍ରବେଶ ରୋକିବା ଲାଗି ଏହି ବିଲ୍ ଉଦ୍ଦିଷ୍ଟ । ଯେଉଁମାନେ ଦେଶର ନିରାପତ୍ତା ଲାଗି ବିପଦ ସେମାନଙ୍କୁ ଭାରତରେ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ ।
ରାଷ୍ଟ୍ରର ବିକାଶ ଲାଗି ଯେଉଁମାନେ ତ୍ୟାଗ କରିବାକୁ ପ୍ରସ୍ତୁତ ସେମାନଙ୍କୁ ହିଁ ଅନୁମତି ଦିଆଯିବ । ଦେଶର ନିରାପତ୍ତା, ଅର୍ଥନୀତି, ବ୍ୟବସାୟର ବିକାଶ ଲାଗି ଏହି ବିଲ୍ ଉଦ୍ଦିଷ୍ଟ । ମ୍ୟାମାର ଓ ବାଂଲାଦେଶୀ ରୋହିଁଗ୍ୟାମାନଙ୍କ ଅନୁପ୍ରବେଶ ସମ୍ପର୍କରେ ସେ କହିଛନ୍ତି- ସେମାନେ ବ୍ଯକ୍ତିଗତ ସ୍ବାର୍ଥ ଲାଗି ଭାରତରେ ପ୍ରବେଶ କରୁଛନ୍ତି ଏବଂ ଦେଶକୁ ବିପଦ ଆଡକୁ ନେଉଛନ୍ତି । ଭାରତରେ ଅସ୍ଥିରତା ସୃଷ୍ଟି ଲାଗି ସେମାନଙ୍କ ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ । ୨୦୪୭ ସୁଦ୍ଧା ଭାରତକୁ ସବୁଠାରୁ ବକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଚେଷ୍ଟା କରାଯାଉଛି । ସେପଟେ ଅନୁପ୍ରବେଶକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସେ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ୨ ହଜାର ୫୦୦ କିଲୋମିଟର ସୀମା ମଧ୍ୟରୁ ୪୫୦ କିଲୋମିଟରରେ ତାରବାଡ ଲଗାଯାଇପାରୁନାହିଁ । ପଶ୍ଚିମବଙ୍ଗ ସରକାର ଏଥିଲାଗି ଜମି ପ୍ରଦାନ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।