ମିରଟ ଘଟଣା ପରେ ଭୟରେ ନିଜ ସ୍ତ୍ରୀକୁ ପ୍ରେମିକ ସହ ବାହା କରାଇଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ :  ପ୍ରେମିକ ସହ ମିଶି ସ୍ତ୍ରୀ ସ୍ୱାମୀକୁ ହତ୍ୟାକରି ଡ୍ରମରେ ଭର୍ତ୍ତି କରିବା ଘଟଣା ପରେ ଭୟରେ ନିଜ ସ୍ତ୍ରୀକୁ ପ୍ରେମିକ ସହ ବାହାଘର କରାଇଲେ ଉତ୍ତରପ୍ରଦେଶର ଜଣେ ଯୁବକ । ଏ ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲାରେ ବବ୍‌ଲୁ ନାମକ ଜଣେ ବ୍ୟକ୍ତି ଭୟରେ ନିଜ ସ୍ତ୍ରୀ ରାଧିକାଙ୍କୁ ତାଙ୍କ ପ୍ରେମିକ ବିଶାଲଙ୍କ ସହ ବିବାହ କରାଇଛନ୍ତି।

ନିକଟରେ ମିରଟରେ ମୁସ୍କାନ ରାସ୍ତୋଗୀ ନାମ୍ନୀ ମହିଳା ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ଘଟଣା ସମ୍ପର୍କରେ ଶୁଣିବା ପରେ ବବ୍‌ଲୁ ନିଜ ସୁରକ୍ଷାକୁ ନେଇ ଏପରି ପଦକ୍ଷେପ ନେଇଛନ୍ତି । ତେଣୁ ଭୟରେ ସେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ବିବାହ କରାଇଥିବା କହିଛନ୍ତି ବବ୍‌ଲୁ । ଏହାସହ ୨ ପିଲାଙ୍କ ଲାଳନପାଳନ କଥା ସେ ବୁଝିବେ ବୋଲି ସ୍ତ୍ରୀ ରାଧିକାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସ୍ଥାନୀୟ ଧନଘଟା ଥାନା କତାରମିଶ୍ରା ଗ୍ରାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବବ୍‌ଲୁଙ୍କ ବିବାହ ୨୦୧୭ରେ ଗୋରଖପୁରର ରାଧିକାଙ୍କ ସହ ହୋଇଥିଲା। ବିବାହ ପରେ ରାଧିକାଙ୍କର ୨ ପିଲା ହୋଇଥିଲେ। ବର୍ତ୍ତମାନ ସେମାନଙ୍କର ବୟସ ୭ ଏବଂ ୨ ବର୍ଷ। ତେବେ ପ୍ରାୟ ଦେଢ଼ବର୍ଷ ତଳେ ରାଧିକାଙ୍କର ସେହି ଗ୍ରାମର ବିଶାଲ କୁମାର ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଧୀରେ ଧୀରେ ସମ୍ପର୍କ ଗଭୀର ହେବା ପରେ ରାଧିକା ନିଜ ୨ ପିଲା ଓ ସ୍ବାମୀଙ୍କୁ ଛାଡ଼ି ବିଶାଲଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ସପ୍ତାହେ ତଳେ ସେ ବିଶାଲଙ୍କ ସହ ଘରୁ ପଳାଇ ଯାଇଥିଲେ। ତେବେ ସୋମବାର ଉଭୟ ରାଧିକା ଓ ବିଶାଲ ଏକସଙ୍ଗେ ଘରକୁ ଫେରିଥିଲେ। ବିଶାଲଙ୍କୁ ବିବାହ କରିବାକୁ ସେ ଚାହୁଁଥିବା ନେଇ ରାଧିକା ନିଜ ସ୍ବାମୀ ଓ ଶ୍ୱଶୁର ଘର ଲୋକଙ୍କୁ କହିଥିଲେ। ଗ୍ରାମବାସୀ ବହୁ ବୁଝାଶୁଝା କରିବା ସତ୍ତ୍ୱେ ରାଧିକା ବିଶାଲଙ୍କୁ ବିବାହ କରିବା ପାଇଁ ଅଡ଼ି ବସିଥିଲେ। ଫଳରେ ବବ୍‌ଲୁ ରାଧିକା ଓ ବିଶାଲଙ୍କୁ ଧନଘଟା ତହସିଲ ନେଇଯାଇଥିଲେ। ସେଠାରେ ରାଧିକା ଓ ବିଶାଲଙ୍କ ବିବାହକୁ ନେଇ ଏକ ବୁଝାମଣା ପ୍ରସ୍ତୁତ ହୋଇଥିଲା। ଏହାପରେ ସେମାନେ ବାବା ଦାନୀନାଥ ମନ୍ଦିରରେ ପହଞ୍ଚିଥିଲେ। ସ୍ବାମୀ ବବ୍‌ଲୁ ଓ ନିଜ ୨ ପିଲାଙ୍କ ସମ୍ମୁଖରେ ରାଧିକା ତାଙ୍କ ପ୍ରେମିକ ବିଶାଲଙ୍କୁ ବରଣମାଳା ପିନ୍ଧାଇଥିଲେ।

ଘଟଣାକୁ ନେଇ ବବ୍‌ଲୁ କହିଛନ୍ତି, ବିଶାଲଙ୍କ ସହ ରାଧିକାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ସେ ବହୁ ପୂର୍ବରୁ ଜାଣିସାରିଥିଲେ। ବିଶାଲଙ୍କ ସହ ସମ୍ପର୍କ ନ ରଖିବାକୁ ସେ ସ୍ତ୍ରୀଙ୍କୁ ବହୁବାର ବୁଝାଇଥିଲେ। ତେବେ ତାଙ୍କ କଥାକୁ ରାଧିକା ଶୁଣି ନ ଥିଲେ। ପ୍ରେମିକଙ୍କ ସହାୟତାରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ହତ୍ୟା କରୁଥିବା ନେଇ ଅନେକ ଖବର କିଛିଦିନ ମଧ୍ୟରେ ପ୍ରକାଶ ପାଇଥିଲା। ଏଭଳି ଖବର ବବ୍‌ଲୁଙ୍କୁ ବିଚଳିତ କରିଥିଲା।

ଖାସ୍‌କରି ମିରଟ ଘଟଣା ପରେ ସେ ରାଧିକାଙ୍କ ଇଚ୍ଛା ଅନୁଯାୟୀ, ତାଙ୍କ ବିବାହ ବିଶାଲଙ୍କ ସହ କରାଇବେ ବୋଲି ସ୍ଥିର କରିଥିଲେ। ତେଣୁ ସେ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ତ୍ରୀଙ୍କ ବିବାହ ତାଙ୍କ ପ୍ରେମିକଙ୍କ ସହ କରାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ରାଧିକା ଏବଂ ବବ୍‌ଲୁ ପରସ୍ପରକୁ ଛାଡ଼ପତ୍ର ଦେଇନାହାନ୍ତି। ତେଣୁ ବିଶାଲଙ୍କ ସହ ରାଧିକାଙ୍କ ବିବାହ ବୈଧତାକୁ ନେଇ ପଚରାଯିବାରୁ ବବ୍‌ଲୁ କହିଛନ୍ତି, ଏହା ସମ୍ପୂର୍ଣ୍ଣ ବୈଧ ବିବାହ। ଗ୍ରାମବାସୀଙ୍କ ସମ୍ମୁଖରେ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଛି। ସେହିପରି ଏହି ବିବାହକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଆପତ୍ତି ନ ଥିବା ବବ୍‌ଲୁ କହିଛନ୍ତି।