ବଢ଼ିବ ସରକାରଙ୍କ ନିୟନ୍ତ୍ରିତ ଔଷଧର ଦାମ

ଭୁବନେଶ୍ବର: ବଢ଼ିବ ସରକାରୀ ନିୟନ୍ତ୍ରିତ ଅନେକ ଔଷଧର ଦାମ୍ । କ୍ୟାନସର, ଡାଇବେଟିସ, ହୃଦରୋଗ ସମ୍ପର୍କିତ ଅନେକ ଔଷଧର ଦର ବଢ଼ିବ । ଏହାସହ ଆଣ୍ଟିବାୟୋଟିକର ଦାମ ବି ବଢ଼ିବ । ଏସବୁ ଔଷଧର ଦାମ ୧.୭ ପ୍ରତିଶତ ବଢିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟିସର ସାଧାରଣ ସମ୍ପାଦକ ରାଜୀବ ସିଙ୍ଘଲ ।

କଞ୍ଚାମାଲର ଦାମ ବଢିବା ସହ ଅଧିକ ଖର୍ଚ୍ଚ ଭରଣା ତଥା ଫାର୍ମାସ୍ୟୁଟିକାଲ ଶିଳ୍ପକୁ ସହାୟତା ଲାଗି ସରକାର ଏହି ପଦକ୍ଷେପ ନେବେ । ଆସନ୍ତା ୨ରୁ ୩ ମାସ ମଧ୍ୟରେ ଏହି ଦରବୃଦ୍ଧି ଲାଗୁ ହେବ । ଔଷଧର ଦରବୃଦ୍ଧି ସୀମାକୁ ଅତିକ୍ରମ କରି ଫାର୍ମା କମ୍ପାନୀମାନେ ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ରସାୟନ ଓ ସାର ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅବଗତ ହୋଇଥିଲା । ଫାର୍ମା କମ୍ପାନୀଗୁଡିକ ଦ୍ବାରା ଦରବୃଦ୍ଧି ସୀମା ଉଲ୍ଲଂଘନ ଘଟଣା ୩୦୦ରୁ ଅଧିକ ବୋଲି ଜାଣିବାକୁ ପାଇଛି ଜାତୀୟ ଫାର୍ମାସୁଟିକାଲ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏ । କେଉଁ ଔଷଧର ଦାମ୍ କେତେ ରହିବ ତାହା ନିର୍ଦ୍ଧାରଣ କରିଥାଏ ଏନପିପିଏ । ସରକାରୀ ସ୍ତରରେ ମିଳୁଥିବା ଔଷଧ କ୍ରୟ କରୁଥିବା ହେତୁ ରୋଗୀମାନେ ବାର୍ଷିକ ୩ ହଜାର ୭୮୮କୋଟି ଟଙ୍କା ସଞ୍ଚୟ କରିଥାନ୍ତି ।