ଗେଲ ଇଣ୍ଡିଆକୁ ଏନଜିଟି ଛାଟ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିନା ଅନୁମତିରେ ଭୁବନେଶ୍ବରରେ କେମିତି ଚାଲିଛି ସିଏନଜି ଷ୍ଟେସନ ନିର୍ମାଣ ?
1 min read
ଭୁବନେଶ୍ବର: ନିଜ ନିୟମ ନିଜେ ପାଳନ କଲାନି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ । ଜିଲ୍ଲାପାଳଙ୍କ ଅନୁମୋଦନ ନାହିଁ, ତଥାପି ରାଜଧାନୀର ଚନ୍ଦ୍ରଶେଖରପୁର ଆବାସିକ ଅଞ୍ଚଳରେ GAIL ଇଣ୍ଡିଆ ନିର୍ମାଣ କରୁଥିଲା ସିଏନଜି ଷ୍ଟେସନ୍ ? ସ୍ଥାନୀୟ ଅଞ୍ଚଳରେ ବିରୋଧ ସତ୍ତ୍ବେ ନିର୍ମାଣ କାର୍ଯ୍ୟ ଜାରି ରହିବାରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT)ରେ ରୁଜୁ ହୋଇଛି ମାମଲା । NGT ନିର୍ଦ୍ଦେଶ ପରେ ଏବେ ଖୋର୍ଦ୍ଧା ଜିଲ୍ଲାପାଳ କାମ ବନ୍ଦ କରିବା ସହ ୭ ଦିନ ଭିତରେ ଜବାବ ରଖିବାକୁ ଗେଲ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେପଟେ ପେଟ୍ରୋଲଠାରୁ ଅଧିକ ଦହନଶୀଳ ସିଏନଜି ଷ୍ଟେସନ୍ ପ୍ରତିଷ୍ଠା ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ GAILକୁ ଏନଜିଟି ଛାଟ । ଜିଲ୍ଲାପାଳଙ୍କ ଅନୁମୋଦନ ନଥାଇ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚାଲିଥିଲା ଷ୍ଟେସନ ନିର୍ମାଣ । ଏନଜିଟିଙ୍କ ନିର୍ଦ୍ଦେଶରେ କାମ ବନ୍ଦ କଲେ ଖୋର୍ଦ୍ଧା ଜିଲ୍ଲାପାଳ । କାହିଁକି ଓ କେମିତି ଜିଲ୍ଲାପାଳଙ୍କଠାରୁ ମଞ୍ଜୁରୀ ନନେଇ ଗେଲ୍ ଇଣ୍ଡିଆ ନିର୍ମାଣ କରୁଛି ସେ ନେଇ ୭ ଦିନ ଭିତରେ ଜବାବ ରଖିବାକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସିଏନଜି ଷ୍ଟେସନ୍କୁ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । GAIL ଇଣ୍ଡିଆ କାମ ଆରମ୍ଭ କରିବା ଦିନଠୁ ବିରୋଧ ହୋଇ ଆସୁଛି । ଅଥଚ ତାକୁ ଅଣଦେଖା କରି ଚାଲିଛି ଗେଲ୍ ଇଣ୍ଡିଆ । ଅଭିଯୋଗ ହୋଇଛି, ଭୁବନେଶ୍ବର ରାଜଭବନ ଛକରେ ଥିବା ପେଟ୍ରୋଲ ପମ୍ପରେ ଟାଙ୍କି ଫାଟିବା ଘଟଣା ହେଉ କି ନୟାଗଡ଼ ଘଟଣା । କମ୍ପ୍ରେସର ଫାଟି ଜୀବନ ଯିବା ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ସିଏନଜି ଓ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ନିୟମ କଲେ । ପେଟ୍ରୋଲ ପମ୍ପ ହେଉକି ସିଏନଜି ଗ୍ୟାସ୍ ଷ୍ଟେସନ । ଆବାସିକ ଅଞ୍ଚଳର ୫୦ ମିଟର ବାହାରେ ଏପରି ଦହନଶୀଳ ଷ୍ଟେସନ ପ୍ରତିଷ୍ଠା ହୋଇପାରିବ । କିନ୍ତୁ ଯେ କୌଣସି ସ୍ଥିତିରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁମତି ନନେଇ ନିର୍ମାଣ କରାଯାଇପାରିବନି । ଭୁବନେଶ୍ବରରେ ନିର୍ମାଣାଧୀନ ସିଏନଜି ଷ୍ଟେସନ୍ ପାଇଁ GAIL ଇଣ୍ଡିଆ ୫୦ ମିଟର ନିୟମ ପାଳନ କରିନି କି ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିନି । ଅଥଚ ସ୍ଥାୟୀ ବାସିନ୍ଦାଙ୍କ ପାଚେରୀକୁ ଲାଗି କରି ସିଏନଜି ଷ୍ଟେସନ୍ ନିର୍ମାଣ କରୁଛନ୍ତି GAIL ଇଣ୍ଡିଆ କର୍ତ୍ତୃପକ୍ଷ । ଖୋଦ ନିଜ ମନ୍ତ୍ରାଳୟର ନିୟମକୁ GAIL କର୍ତ୍ତୃପକ୍ଷ ଉଲ୍ଲଂଘନ କରିଥିବା ଆବେଦନକାରୀଙ୍କ ଓକିଲ ଅଭିଯୋଗ କରିଛନ୍ତି ।
ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ୩ ଶହ ଡିସିମିଲ ଜାଗାରେ ନିର୍ମାଣ ଚାଲିଛି ସିଏନଜି ଷ୍ଟେସନ୍ । ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସବୁ ମହଲରୁ ଏହାକୁ ସ୍ଥାନାନ୍ତର ପାଇଁ ଦାବି ଉଠୁଛି । କିନ୍ତୁ କ’ଣ ପାଇଁ GAIL ଇଣ୍ଡିଆ କର୍ତ୍ତୃପକ୍ଷ ସବୁ ନିୟମକୁ ଦଳିମକଚି ଦେଉଛନ୍ତି ତାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି । ମେ’ ୩୦ ତାରିଖରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ରହିଛି ।